ଭୁବନେଶ୍ୱରରେ ୟୁଟ୍ୟୁବରଙ୍କୁ ଛୁରି ମାରି ହତ୍ୟା, ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ଜଣେ ଯୁବ ୟୁଟ୍ୟୁବରଙ୍କ ଛୁରାମାଡ଼ ହତ୍ୟା ଘଟଣାରେ ରାଜଧାନୀ ଥରିଉଠିଛି । ଏହି ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଜିଜିପି କଲୋନୀ ଖେଳ ପଡ଼ିଆ ନିକଟରେ । ମୃତକ ହେଲେ ରାକେଶ ମହାରଣା ବୋଲି ଜଣାପଡିଛି । ପରିବାର ଲୋକଙ୍କ କାନ୍ଦବୋବାଳିରେ ଛନକା ପୁରୁଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମୃତକ ଏବଂ ତାଙ୍କର ଚାରି ସାଙ୍ଗ ଏକ ପାର୍କରେ ବସିଥିଲେ। ସେହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । କଥାକଥାକେ ଉଗ୍ରରୂପ ଧାରଣ କରିଥିଲା ଏହି ଝଗଡା । ଆକ୍ରମଣକାରୀମାନେ ରାକେଶଙ୍କ ଉପରକୁ ଛୁରାମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଆକ୍ରମଣରେ ଆଉ ତିନି ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି ।
ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତତ୍ପରତା କ୍ରମେ ଏହି ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ରହିଛି ଲମ୍ବା ସମୟର ପୂର୍ବ ଶତ୍ରୁତା । ସୂଚନା ଅନୁଯାୟୀ, ପ୍ରାୟ ତିନି ମାସ ପୂର୍ବରୁ ଏହି ହତ୍ୟାର ଯୋଜନା ପ୍ରସ୍ତୁତ କରାଯାଇଥିଲା । ମୃତକ ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟା ମାମଲାର ମଧ୍ୟ ପୋଲିସ ଛାନବିନ ଜାରି ରଖିଛି ।
ଏହା ସହିତ, କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ରାହୁଲଙ୍କ ମରଶରୀର ତାଙ୍କ ବାସଭବନରେ ପହଞ୍ଚିଛି । ଘରେ କାନ୍ଦ ବୋବାଳି ଫାଟି ପଡିଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ପୂର୍ବ ଶତ୍ରୁତା କିମ୍ବା ଟଙ୍କା ନେଣଦେଣକୁ ନେଇ ରାହୁଲଙ୍କୁ ହତ୍ୟା କରାଯାଇଛି। ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହିତ ନ୍ୟାୟ ଦାବିରେ ସ୍ୱର ଉତ୍ତୋଳନ କରିଛନ୍ତି ପରିବାର ବର୍ଗ।
