FeaturedLatestNews

ନୂଆପଡ଼ା ଉପନିର୍ବାଚନ : ନଭେମ୍ବର ୧୧ରେ ଭୋଟ୍, ୧୪ରେ ଗଣତି

ନୂଆଦିଲ୍ଲୀ (ସଂକେତ ଟିଭି): ନୂଆପଡ଼ା ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନର ତାରିଖ ମୁଖ୍ୟ ନିର୍ବାଚନ କମିଶନର ଆଜି ଘୋଷଣା କରିଛନ୍ତି। ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଏହି ଆସନ ପାଇଁ ଭୋଟଗ୍ରହଣ ଆସନ୍ତା ୧୧ ନଭେମ୍ବର ତାରିଖରେ ହେବ ଏବଂ ଭୋଟ୍ ଗଣତି ୧୪ ନଭେମ୍ବରରେ ଅନୁଷ୍ଠିତ ହେବ।

ନିର୍ବାଚନ କାର୍ଯ୍ୟକ୍ରମ ଅନୁଯାୟୀ, ଅକ୍ଟୋବର ୧୩ ତାରିଖରେ ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶିତ ହେବ। ଏହାପରେ ଅକ୍ଟୋବର ୨୦ ତାରିଖ ହେବ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ନାମାଙ୍କନ ପତ୍ର ଯାଞ୍ଚ ଅକ୍ଟୋବର ୨୨ ତାରିଖରେ ହେବ ଏବଂ ଅକ୍ଟୋବର ୨୪ ତାରିଖ ହେବ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ।

ଏହି ଉପନିର୍ବାଚନ ବିଜେଡି ଓ ବିଜେପି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ବିଜେଡି ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଖାଲି ହୋଇଥିବା ଏହି ଆସନରେ ବିଜେଡି ତାଙ୍କର ସ୍ଥାନୀୟ ଆଧାରକୁ ରକ୍ଷା କରିପାରିବେ କି ନାହିଁ, ତାହା ଏକ ପ୍ରମୁଖ ଆଲୋଚନାର ବିଷୟ। ଅନ୍ୟ ପକ୍ଷରେ, ରାଜ୍ୟରେ ବିଜେପିର ନୂତନ ସରକାର ଗଠିତ ହୋଇଥିବାରୁ ଏହି ଉପନିର୍ବାଚନକୁ ସେମାନେ ନିଜ ଲୋକପ୍ରିୟତାର ପରୀକ୍ଷା ଭାବରେ ଦେଖୁଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ରହିଛି ଯେ ବିଜେଡି ମୃତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ରଙ୍କୁ ନିଜ ପ୍ରାର୍ଥୀ ଭାବରେ କ୍ଷେତ୍ରରେ ଓହ୍ଲାଇବେ।