ଆଇଏଏସ୍ ସ୍ତରରେ ଅଦଳବଦଳ: କେନ୍ଦ୍ରକୁ ଗଲେ ୩ ଅଧିକାରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବୃହତ୍ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ବ ଦିଆଯାଇଛି ଏବଂ କେତେକଙ୍କୁ କେନ୍ଦ୍ର ସରକାରଙ୍କ ଡେପୁଟେସନ୍ ଉପରେ ପଠାଯାଇଛି।
ଏଥିରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଗିରିଶ ଏସ୍.ଏନ୍. (୨୦୦୨ ବ୍ୟାଚ୍)ଙ୍କୁ ମିସନ ଶକ୍ତି ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ (୨୦୦୧ ବ୍ୟାଚ୍) କେନ୍ଦ୍ରୀୟ ଡେପୁଟେସନ୍ ଉପରେ ଯାଇଛନ୍ତି ଏବଂ ତାଙ୍କୁ ଅର୍ଥ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମା (୨୦୧୧ ବ୍ୟାଚ୍) ଭାରତ ସରକାରଙ୍କ ବନ୍ଦର ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସେହିପରି, ୨୦୧୪ ବ୍ୟାଚ୍ ର ଆଇଏଏସ୍ ସ୍ୱଧା ଦେବୀ ସିଂହ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ପଦରୁ କେନ୍ଦ୍ର ସରକାରଙ୍କ ଜନଗଣନା ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।
ଶାଳିନୀ ପଣ୍ଡିତଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ ର ଆଇଏଏସ୍ ନୁନ୍ ସାବତ ଥିରୁମାଲା ନାଏକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସ୍ୱଧା ଦେବୀ ସିଂହଙ୍କ ସ୍ଥାନରେ ମାନସୀ ନିମ୍ଭାଲଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।
ରାଜ୍ୟ ସରକାର ୨୦୧୨ ବ୍ୟାଚ୍ ର ସୁରେନ୍ଦ୍ର କୁମାର ମୀନାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦେଇଛନ୍ତି। ୨୦୧୪ ବ୍ୟାଚ୍ ର ଆଇଏଏସ୍ ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିଏମ୍ସି କମିସନର ଚଞ୍ଚଲ ରାଣାଙ୍କୁ ଭୁବନେଶ୍ୱର ବିକାଶ ପ୍ରାଧିକାରଣ (ବିଡିଏ) ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଏହାଛଡା, ପ୍ରେମଜିତ୍ ନାୟକଙ୍କୁ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ, ଦୀପଙ୍କର ମହାପାତ୍ରଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଏବଂ ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୫ ବ୍ୟାଚ୍ ର ଆଇଏଏସ୍ ନିବେଦିତା ପୃଷ୍ଟିଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଏବଂ ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ସଞ୍ଜୟ ବିଶ୍ଵାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ସଚିବ ଏବଂ କାହ୍ନୁଚରଣ ଧୀରଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
