ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ୪ ଅଭିଯୁକ୍ତ ଗିରଫ
କୋଲକାତା (ସଂକେତ ଟିଭି): ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମର ଶିକାର ହେବାର ଘଟଣାରେ ୪ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପଶ୍ଚିମ ବର୍ଦ୍ଧମାନ ପୋଲିସ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ ସେମାନେ ୪ ଜଣଙ୍କୁ ଗିରଫ କରିଛନ୍ତି ଏବଂ ଆଉ ଜଣକୁ ଅଟକ ରଖିଛନ୍ତି । ଏହି ସମ୍ବେଦନଶୀଳ ମାମଲା ସମ୍ପର୍କରେ ପଚରାଉଚରା ଚାଲିଛି ଏବଂ ଆଗକୁ ଅଧିକ ତଥ୍ୟ ଦିଆଯିବ ।
ଗତ ଶୁକ୍ରବାର ରାତିରେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ପଢୁଥିବା ବାଲେଶ୍ଵର ଜିଲ୍ଲାର ଏହି ଛାତ୍ରୀ କ୍ୟାମ୍ପସ ବାହାରେ ରାସ୍ତାରେ ଚାଲିବା ସମୟରେ କିଛି ଦୁର୍ବୃତ୍ତ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ରହିଛି ।
ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରାତିରେ ପୀଡ଼ିତାଙ୍କ ବାପାଙ୍କ ସହିତ ଫୋନ୍ ଯୋଗାଯୋଗ କରି ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ପରିସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରିପାରୁଛି । ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ।”
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଛାତ୍ରୀଙ୍କ ଶୀଘ୍ର ସୁସ୍ଥତା ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି ଏବଂ ଅପରାଧୀମାନେ କଠୋର ଦଣ୍ଡ ପାଇବା ନିମନ୍ତେ ପଶ୍ଚିମବଙ୍ଗ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି । ଓଡ଼ିଶା ସରକାରଙ୍କ ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଆଇନଗତ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବା ପାଇଁ ଯୋଗାଯୋଗ କରୁଛନ୍ତି ।
ଏହି ଘଟଣା ପରିସ୍ଥିତିରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ଏକ ମିଳିତ ଟିମ ଆଜି ଦୁର୍ଗାପୁର ଯାତ୍ରା କରିଛି । ଏହି ଟିମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଡିଏସପିଙ୍କ ସମେତ ଅନ୍ୟ ଅଧିକାରୀମାନେ ଅଛନ୍ତି, ଯେଉଁମାନେ ଆବଶ୍ୟକ ସହାୟତା ଯୋଗାଇଦେବେ । ଗତବର୍ଷ ଆରଜି କର ମେଡିକାଲ ଘଟଣା ପରେ ପୁଣି ଥରେ ଏହି ଘଟଣା ପଶ୍ଚିମବଙ୍ଗରେ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି ।
