FeaturedGeneralLatest

ଆଇଆରସିଟିସି ସ୍କାମରେ ଲାଲୁ, ପତ୍ନୀ ରାବଡି ଓ ପୁଅ ତେଜସ୍ବୀଙ୍କୁ ଚାର୍ଜଫ୍ରେମ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରଙ୍କ ପାଇଁ ଏକ ବଡ଼ ଝଟକା ଦେଇଛି ଦିଲ୍ଲୀ କୋର୍ଟ। ଆଇଆରସିଟିସି ହୋଟେଲ ସ୍କାମ ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ, ତାଙ୍କ ପତ୍ନୀ ଓ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ପୁଅ ତେଜସ୍ବୀ ଯାଦବଙ୍କ ବିରୋଧରେ ଅଦାଲତ ମାମଲା ରୁଜୁ କରିଛନ୍ତି। ଏହି ମାମଲା ରୁଜୁ କରାଯାଇପାରିବ କି ନାହିଁ ସେ ସମ୍ପର୍କୀୟ ନିଷ୍ପତ୍ତି ଘୋଷଣା ଲାଗି ଆଜି ଧାର୍ଯ୍ୟ ତାରିଖ ଥିଲା। ଏହି ଶୁଣାଣି ଲାଗି କୋର୍ଟରେ ହାଜର ହୋଇଥିଲେ ଲାଲୁ ପ୍ରସାଦ, ରାବଡି ଦେବୀ ଓ ତେଜସ୍ବୀ ଯାଦବ।

୨୦୧୭ରେ ଆରମ୍ଭ ହୋଇଥିବା ଏହି ମାମଲାରେ ସିବିଆଇ ୧୪ ଜଣ ବ୍ୟକ୍ତିବିଶେଷଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଆଇଆରସିଟିଆଇ ହୋଟେଲର ରକ୍ଷଣାବେକ୍ଷଣ ଚୁକ୍ତି ନେଇ ସଲାସୁତୁରା କରାଯିବା ସହ ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି। ଲାଲୁ ପ୍ରସାଦ ପଦବୀରେ ଥାଇ ପଦର ଦୁରୂପଯୋଗ କରିଥିବା ଅଭିଯୋଗ ମଧ୍ୟ ରହିଛି। କୋର୍ଟ କହିଛନ୍ତି ଯେ ଲାଲୁଙ୍କ ଜ୍ଞାନରେ ଏହି ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ଅଭିଯୋଗପତ୍ରରେ ଆଇପିସିର ଧାରା ୪୨୦, ୧୨୦ବି ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଏବଂ ୧୩(୧)(ଡି) ଅନ୍ତର୍ଭୁକ୍ତ କରାଯାଇଛି।

କୋର୍ଟ ଦ୍ୱାରା ଦୋଷ ସ୍ୱୀକାର କରିବାକୁ ପଚାରିବା ଉପରେ ଲାଲୁ ଯାଦବ, ରାବଡି ଦେବୀ ଏବଂ ତେଜସ୍ୱୀ ଯାଦବ ତିନିଏ ଦୋଷ ସ୍ୱୀକାର କରିବାକୁ ମନା କରିଦେଇ ବିଚାରର ସମ୍ମୁଖୀନ ହେବାକୁ ରାଜି ହୋଇଥିଲେ। କୋର୍ଟ ଆଦେଶରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ରାବଡି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ କମ୍ ମୂଲ୍ୟରେ ଜମି ମିଳିଥିବାର ଅଭିଯୋଗ ରହିଛି।

ନିର୍ବାଚନୀୟ ରାଜନୀତିର ଏହି ସମୟରେ ଏହି ନିଷ୍ପତ୍ତି ଲାଲୁ ପରିବାର ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଆଘାତ ବୋଲି ବିବେଚିତ ହେଉଛି। ଲାଲୁ ପରିବାରର ଦିଲ୍ଲୀ ଗସ୍ତ ସମୟରେ ଆଜି ସେମାନଙ୍କର କଂଗ୍ରେସ ନେତୃତ୍ୱ ସହିତ ଏକ ବୈଠକ ମଧ୍ୟ ଅଛି, ଯେଉଁଠାରେ ବିହାରରେ ଆସନ ବଣ୍ଟନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ଅପେକ୍ଷାରେ ଅଛି। ଏହି ପୃଷ୍ଠଭୂମିରେ ରବିବାର ଏନଡିଏ ଆସନ ବଣ୍ଟନ ଚୂଡ଼ାନ୍ତ କରି ସାରିଥିବା ବେଳେ ମହାଗଠବନ୍ଧନ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିନାହିଁ।