FeaturedLatestNews

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ୧୧ ତାରିଖରେ ଭୋଟ

ଭୁବନେଶ୍ୱର (ସଂକେତ ଟିଭି): ନୂଆପଡ଼ା ଉପନିର୍ବାଚନ ପାଇଁ ଆଜିଠାରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ସହିତ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରାର୍ଥୀମାନେ ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏହି ନାମାଙ୍କନ ପ୍ରକ୍ରିୟା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ ୨୨ ତାରିଖରେ ହେବ ଏବଂ ପ୍ରାର୍ଥୀମାନେ ୨୪ ତାରିଖରେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ।

ଉପନିର୍ବାଚନ ପାଇଁ ଭୋଟିଂ ୧୧ ତାରିଖରେ ହେବା ନିଶ୍ଚିତ ହୋଇଛି ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ ୪୭ଟି ସମ୍ବେଦନଶୀଳ ଭୋଟିଂ ବୁଥ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିସହ ୮ଟି ବୁଥ୍ ପାଇଁ ହେଲିକପ୍ଟରର ବ୍ୟବସ୍ଥା ରହିଛି, ଯାହାଦ୍ୱାରା ନିର୍ବାଚନ କର୍ମୀମାନେ ହେଲିକପ୍ଟରରେ ଯାଇ ଭୋଟିଂ କାର୍ଯ୍ୟ ସମ୍ପାଦନ କରି ଫେରିବେ। ଏହି ଅଞ୍ଚଳରେ ୧୪ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ମୋଟାୟନ କରାଯିବ।

ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜୁ ଜନତା ଦଳ (ବିଜେଡି) ଶୀଘ୍ର ଜ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ରାଜନୈତିକ କାର୍ଯ୍ୟ ସମିତି (PSC) ବୈଠକ ଡକାଇ ପ୍ରାର୍ଥୀ ନାମ ଚୂଡ଼ାନ୍ତ କରିବ। ଅନ୍ୟ ପକ୍ଷରେ, ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ଏଯାଏଁ ନିଜ ପ୍ରାର୍ଥୀ ଘୋଷଣା କରି ନାହିଁ। ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ରଙ୍କୁ ଦଳରେ ସାମିଲ କରିଥିଲେ ମଧ୍ୟ, ତୃଣମୂଳ ସ୍ତରରେ ଏହାକୁ ନେଇ ବିରୋଧ ହେତୁ ଦଳ ପାଇଁ ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପିର ମତ, ଦିଲ୍ଲୀରୁ ସଂପୃକ୍ତ ନେତାଙ୍କ ଅନୁମତି ପରେ ହିଁ ପ୍ରାର୍ଥୀ ଘୋଷଣା କରାଯିବ। ଅପେକ୍ଷାକୃତ ଆଗୁଆ କଂଗ୍ରେସ ଦଳ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଭାବରେ ଘୋଷଣା କରି ସାରିଛି।