FeaturedLatestNewsPolitics

ନୂଆପଡ଼ା ଉପ-ନିର୍ବାଚନ: ବିଜେଡିର ସର୍ପ୍ରାଇଜ୍ କାର୍ଡ୍, ପ୍ରାର୍ଥୀ ହେଲେ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର (ସଂକେତ ଟିଭି): ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଏକ ବଡ଼ ସର୍ପ୍ରାଇଜ୍ ଦେଇଛି। ଦଳର ସୁପ୍ରିମୋ ଓ ସଭାପତି ନବୀନ ପଟ୍ଟନାୟକ ଅତାବିରା ବିଧାନସଭା ଆସନର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ରାଜ୍ୟର ରାଜନୈତିକ ମହଲକୁ ଚମକିତ କରିଛି।

ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲାର ଅତାବିରା ଆସନରୁ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ତାଙ୍କର ବରିଷ୍ଠତା, ଅଭିଜ୍ଞତା ଏବଂ ଦକ୍ଷତାକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ନୂଆପଡ଼ା ଆସନରେ ଭରସା କରିଛି। ଏହି ନିଷ୍ପତ୍ତି ପୂର୍ବରୁ ମହମ୍ମଦ ଆଦମ୍ ଓ ସାଧାରଣ ସଂପାଦକ ମନୋଜ ମିଶ୍ର ପ୍ରମୁଖ ପ୍ରାର୍ଥୀତ୍ୱ ଦାବିଦାର ଥିଲେ। ତେବେ, ଦଳ ଶେଷରେ ଏକ ଅପ୍ରତ୍ୟାଶିତ ଚାଲ ଚଳିଛି।

ନୂଆପଡ଼ା ଆସନରେ ବିଜେଡିର ପ୍ରତିଦ୍ୱନ୍ଦ୍ୱୀ ହେବେ ବିଜେପିର ପ୍ରାର୍ଥୀ ଜୟ ଢେଲକିଆ ଏବং କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ। ବିଜେପି ତରଫରୁ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢେଲକିଆଙ୍କ ପୁତ୍ର ଜୟ ଢେଲକିଆ ପ୍ରାର୍ଥୀ ହେବାରୁ ଅନୁକମ୍ପା ଭୋଟ୍ ଏବଂ କେନ୍ଦ୍ର ସରକାରଙ୍କ ଉପସ୍ଥିତି ତାଙ୍କ ପକ୍ଷେ ଯୋଗ ଦେଇପାରେ। ଅନ୍ୟ ପକ୍ଷରେ, ଘାସିରାମ ମାଝୀ ଗତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ଏବଂ ବର୍ତ୍ତମାନ କଂଗ୍ରେସର ସମର୍ଥନ ପାଇଛନ୍ତି।

ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ବିଜେଡିର ପାରମ୍ପରିକ ଭୋଟ ବ୍ୟାଙ୍କକୁ ସ୍ଥିର ରଖିବା, ବିଜେପି ପ୍ରାର୍ଥୀଙ୍କ ଅନୁକମ୍ପା ଭୋଟ୍ ଆକର୍ଷଣକୁ ପ୍ରତିହତ କରିବା ଏବଂ କଂଗ୍ରେସର ଭୋଟ୍ ବିଭାଜନରୁ ଲାଭାନ୍ୱିତ ହୋଇପାରିବା କି ନାହିଁ ତାହା ଦେଖିବା। ପ୍ରତ୍ୟେକ ଦଳ ପରସ୍ପରର ଭୋଟ୍ ଭାଙ୍ଗିବାକୁ ପ୍ରୟାସ କରିବେ। ନୂଆପଡ଼ା ମତଦାତାଙ୍କ ରାୟ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ଦେବ, ଯାହା ନଭେମ୍ବର ୧୪ ତାରିଖରେ ଘୋଷିତ ହେବ।