FeaturedLatestNewsPolitics

ନୂଆପଡ଼ା ଉପନିର୍ବାଚନ: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷିତ

ଭୁବନେଶ୍ୱର (ସଂକେତ ଟିଭି): ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାରେ ୪୦ ଜଣ ବରିଷ୍ଠ ନେତା ଅଛନ୍ତି। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟତମ।

ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସାଂସଦ ବୈଜୟନ୍ତ ପଣ୍ଡା, ଦୁଇ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଲତା ଉସେଣ୍ଡି ଆଦି ବରିଷ୍ଠ ନେତାମାନେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏଥିସହ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଷ୍ଟାର ପ୍ରଚାରକ ଭାବରେ କାର୍ଯ୍ୟ କରିବେ।

ଏହି ତାଲିକାରେ ଛତିଶଗଡ଼ର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ମଧ୍ୟ ସାମିଲ କରାଯାଇଛି। ଏଥିରେ ଅରୁଣ ସାଓ, ବ୍ରିଜମୋହନ ଅଗ୍ରୱାଲ୍, ଗୁରୁ ଖୁସୱନ୍ତ ସାହେବ, ରୂପ କୁମାରୀ ଚୌଧୁରୀ, ଅନୁଜ ଶର୍ମା, ରୋହିତ୍ ସାହୁ, ଯୋଗେଶ୍ୱର ରାଜୁ ସିହ୍ନା, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଏବଂ ଅନୁଭବ ମହାନ୍ତିଙ୍କ ଭଳି ନେତାମାନେ ଅଛନ୍ତି।

ଗତ ୧୩ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୦ ରଖାଯାଇଛି। ପ୍ରାର୍ଥୀପତ୍ର ଯାଞ୍ଚ ଅକ୍ଟୋବର ୨୨ ତାରିଖରେ ହେବ ଏବଂ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଅକ୍ଟୋବର ୨୪। ନଭେମ୍ବର ୧୧ ତାରିଖରେ ମତଦାନ ଅନୁଷ୍ଠିତ ହୋଇ ନଭେମ୍ବର ୧୪ ତାରିଖରେ ଭୋଟ ଗଣନା କରାଯିବ।

ଏଥର ମୋଟ ୧ ଲକ୍ଷ ୨୨ ହଜାର ୧୦୩ ଜଣ ପୁରୁଷ ଏବଂ ୧ ଲକ୍ଷ ୨୬ ହଜାର ୧୩୨ ଜଣ ମହିଳା ମତଦାତା ଅଛନ୍ତି। ଏଥିସହ ୪ ହଜାର ଭିନ୍ନକ୍ଷମ ଏବଂ ୨୦୦୭ ଜଣ ବୟସ୍କ ମତଦାତାଙ୍କ ନାମ ମତଦାତା ତାଲିକାରେ ରହିଛି। ମତଦାନ ବୁଥରେ ମୋବାଇଲ ଫୋନ୍ ନେବା ପାଇଁ ମତଦାତାଙ୍କୁ ଅନୁମତି ଦିଆଯାଇଥିବା ବେଳେ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ବୁଥ ଭିତରକୁ ମୋବାଇଲ ନେଇ ପାରିବେ ନାହିଁ। ମତଦାନ ପ୍ରକ୍ରିୟା ରିଅଲ ଟାଇମ୍ ସିଷ୍ଟମ୍ ରେ ୱେବ୍‌କ୍ୟାଷ୍ଟିଂ କରାଯିବ ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ମତଦାତାଙ୍କ ସହାୟତା ପାଇଁ ୧୯୫୦ ନମ୍ବରରେ ଏକ ହେଲ୍ପଲାଇନ୍ କାର୍ଯ୍ୟକାରୀ ହେବ।