ପିଲାଙ୍କ ସହ ୮୦ ତମ ଜନ୍ମଦିନ ପାଳନ କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ସେ ଶାସନ ଗାଦିରେ ନାହାନ୍ତି ସତ, କିନ୍ତୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ରହିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଲେ କେବଳ ଲୋକଙ୍କ ଆଖିକୁ ତାଙ୍କର ସେହି ସରଳ ଚେହେରା ଆଜିବି ଚାଲିଆସୁଛି । ଧଳା କୁର୍ତ୍ତା, ପାଇଜାମା, କୋଲ୍ଲାପୁରୀର ଚପଲ ପିନ୍ଧି ଦିଲ୍ଲୀରୁ ପଲ୍ଲୀ ସବୁଠିକି ଯାଆନ୍ତି । ତାଙ୍କର ରାଜନୈତିକ ଜୀବନ ଓ ସିଧାସାଧା ଜୀବନଶୈଳୀ ନେଇ ଆଜିବି ସେ ଚର୍ଚ୍ଚାରେ । ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ।
ଜନ୍ମଦିନ ଅବସରରେ ଛୋଟ ଛୋଟ ପିଲାମାନଙ୍କ ସହ ଜନ୍ମଦିନ ପାଳି ପୁଣି ଥରେ ନିଜର ସରଳ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । “ବିଜେଡି ଓଡ଼ିଶାବାସୀଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ । ସେବା ବିଜୁ ଜନତା ଦଳର ମନ୍ତ୍ର । ଦଳର ନେତା ଓ କର୍ମୀ ଲୋକଙ୍କ ସେବା ଜାରି ରଖିନ୍ତୁ । ଜୀବନର ଶେଷ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବା କରି ଚାଲିବି ।” ଜନ୍ମଦିନରେ ଓଡ଼ିଶାବାସୀଙ୍କ ପାଇଁ ଏପରି ବାର୍ତ୍ତା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ନିଜର ସରଳ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ନବୀନ ପୁଣି ଥରେ ନିଜର ସରଳତାର ଉଦାହରଣ ଦେଇଛନ୍ତି । ସରଳ ଓ ନିରାଡ଼ମ୍ବର ଜୀବନଶୈଳୀରେ ବିଶ୍ୱାସ ରଖୁଥିବା ନବୀନ ଜନ୍ମଦିନ ଏସଓଏସ ଭିଲେଜରେ ପିଲାମାନଙ୍କ ଗହଣରେ କାଟିଛନ୍ତି । ସେଠାରେ ପହଞ୍ଚିବା ପରେ ପିଲାମାନେ ନବୀନଙ୍କୁ ସ୍ୱାଗତ କରିଥିଲେ । ପିଲାଙ୍କ ଦ୍ୱାରା ପ୍ରସ୍ତୁତ କେକ ନବୀନ କାଟିଥିଲେ । ଏହା ସହ ପିଲାମାନଙ୍କୁ ନବୀନ ନିଜେ କେକ ଖୁଆଇ ଦେଇ ଉପହାର ମଧ୍ୟ ଦେଇଥିଲେ । ପିଲାମାନଙ୍କୁ ଆଶୀର୍ବାଦ କରି ନବୀନ କହିଛନ୍ତି ଯେ ପିଲାମାନଙ୍କ ସହ ଜନ୍ମଦିନ ପାଳନ କରି ବହୁତ ଖୁସି । ଜନ୍ମଦିନରେ ସାମିଲ ହୋଇଥିବାରୁ ପିଲାମାନଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି । ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ସେ ଆଶୀର୍ବାଦ କରିଛନ୍ତି ।
ଜନ୍ମଦିନ ଅବସରରେ ନବୀନ ପଟ୍ଟନାୟକ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗନଗର ବିଜୁ ଆଦର୍ଶ କଲୋନୀରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା କରିଥିଲେ । ବିଜେଡିର ନେତା ଓ କର୍ମୀମାନଙ୍କ ଗହଣରେ ନବୀନ କିଛି ବାଟ ଚାଲିବା ସହିତ ଆୟୋଜିତ ସଭାରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ ।
ଭୁବନେଶ୍ୱର ବିଜୁ ଜନତା ଦଳର ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଲତା ଦେଓ, ବିଧାୟକ ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ବିଭୁତି ବଳବନ୍ତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ବିଜେଡିର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡିର କର୍ପୋରେଟର ମାନେ ଯୋଗ ଦେଇଥିଲେ । ନବୀନ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଥିଲେ ।
ଉଲ୍ଲେଖ୍ୟ, ଚଳିତ ବର୍ଷ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅକ୍ଟୋବର ୯ରୁ ଆରମ୍ଭ ହୋଇଛି । ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ ।
