ବିଜେପି ନୂଆ ଟିମ୍ ରେ ସାଂସଦ-ବିଧାୟକଙ୍କ ସ୍ଥାନ ନାହିଁ
ଭୁବନେଶ୍ୱର (ସଂକେତ ଟିଭି): ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ଦାୟିତ୍ୱ ଗ୍ରହଣ ପରଠାରୁ ପ୍ରାୟ ତିନି ମାସ ପରେ ଦଳର ନୂତନ ରାଜ୍ୟ ସଂଗଠନିକ କମିଟି ଗଠନ କରିଛନ୍ତି। ଏହି ନୂଆ ଟିମ୍ରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ତାଲିକାରେ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, କୌଣସି ସାଂସଦ କିମ୍ବା ବିଧାୟକଙ୍କୁ ଏଥିରେ ସ୍ଥାନ ଦିଆଯାଇନାହିଁ।
ଦଳରେ ଗୃହୀତ ‘ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ’ ନୀତି ଅନୁଯାୟୀ ଜଣେ ନେତାଙ୍କୁ କେବଳ ଗୋଟିଏ ପଦବି ଦିଆଯାଇଛି। ଏହି କାରଣରୁ ପୂର୍ବତନ ଉପସଭାପତି ଯେପରିକି ଗୋଲକ ମହାପାତ୍ର, ନାଉରୀ ନାୟକ ଏବଂ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭଳି ବରିଷ୍ଠ ନେତାମାନେ ଏଥିରେ ସ୍ଥାନ ପାଇନାହାନ୍ତି। ଦଳୀୟ ସୂତ୍ରମାନେ ଜଣାଇଛନ୍ତି ଯେ ଯେଉଁମାନେ ବର୍ତ୍ତମାନ ଦଳୀୟ ପଦବି ପାଇନାହାନ୍ତି, ସେମାନଙ୍କୁ ଭବିଷ୍ୟତରେ ବିଭିନ୍ନ ନିଗମ, ବୋର୍ଡ ଏବଂ ଜିଲ୍ଲା ଯୋଜନା ବୋର୍ଡରେ ପଦବି ଦିଆଯିବ। ନୂଆ ଟିମ୍ ଗଠନ ପୂର୍ବରୁ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ଦଳୀୟ ପଦବି ନା ସରକାରୀ ପଦବି ପ୍ରୟୋଜନ, ତାହା ପଚାରାଯାଇଥିଲା। ଯେଉଁମାନେ ସରକାରୀ ପଦବି ପାଇବେ ବୋଲି ସହମତି ଦେଇଥିଲେ, ସେମାନଙ୍କୁ ଦଳୀୟ ପଦବିରୁ ବାଦ ଦିଆଯାଇଛି।
ନୂତନ ନିଯୁକ୍ତିରେ ୧୦ ଜଣ ଉପସଭାପତି ହେଲେ: ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ. ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର କୁମାର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ ଗୋଏଲ ଏବଂ ବିଷ୍ଣୁ ଦାସ। ଦଳର ୧୦ଟି ସାଙ୍ଗଠନିକ ଜିଲ୍ଲାରୁ ଜଣେ ଲେଖାଏଁ ବରିଷ୍ଠ ନେତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ସାଧାରଣ ସମ୍ପାଦକଙ୍କ ତାଲିକାରେ ବିରଞ୍ଚି ନାରାୟଣ ତ୍ରିପାଠୀ, ସାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇ ଏବଂ ନୂଆ ସଦସ୍ୟ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ ଅଛନ୍ତି। ସାଧାରଣ ସମ୍ପାଦକ (ସଂଗଠନ) ଭାବେ ମାନସ କୁମାର ମହାନ୍ତି ପୂର୍ବପରି ରହିଛନ୍ତି।
ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ୧୦ ଜଣ ହେଲେ: ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ପ୍ରୀତିପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଁସଦା, ମମତା ସିଂହ, ପୃଥ୍ଵୀରାଜ ମହାପାତ୍ର ଏବଂ ସ୍ମିତା ପ୍ରଧାନ। ଅଜୟ କୁମାର ଅଗ୍ରୱାଲ କୋଷାଧ୍ୟକ୍ଷ ଏବଂ ଦିବାକର ହରିଚନ୍ଦନ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜଣାଯାଇଛି ଯେ, ଶୀଘ୍ର ଦଳର ବିଭିନ୍ନ ମୋର୍ଚ୍ଚା ଯଥା ଯୁବ, ମହିଳା, ଓବିସି, କୃଷକ, ଏସ୍ଟି, ଏସ୍ସି, ସଂଖ୍ୟାଲଘୁ ମୋର୍ଚ୍ଚା ଏବଂ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକଙ୍କ ନିଯୁକ୍ତି କରାଯିବ। ଏହାସହ ବିଭିନ୍ନ ନିଗମ, ବୋର୍ଡ ଏବଂ ଜିଲ୍ଲା ଯୋଜନା ବୋର୍ଡର ଖାଲି ପଦବିଗୁଡ଼ିକୁ ମଧ୍ୟ ଶୀଘ୍ର ପୂରଣ କରାଯିବ ବୋଲି ଦଳୀୟ ସୂତ୍ରମାନେ ଜଣାଇଛନ୍ତି।
