FeaturedLatestNews

୧୮ ହଜାର ଟଙ୍କା ବୃତ୍ତି ପାଉଥିବା ଛାତ୍ରୀମାନେ ‘ସୁଭଦ୍ରା’ ଯୋଜନାରୁ ବାଦ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ମୁଖ୍ୟ ମହିଳା ସଶକ୍ତିକରଣ ଯୋଜନା ‘ସୁଭଦ୍ରା’ରୁ ସେହି ଛାତ୍ରୀମାନେ ବାଦ ପଡ଼ିବେ, ଯେଉଁମାନେ ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତାହାଠାରୁ ଅଧିକ ରାଶି ବୃତ୍ତି ବା ଆର୍ଥିକ ସହାୟତା ପାଉଛନ୍ତି। ଏହି ନିୟମ ପ୍ରୟୋଗ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗଙ୍କ ପାଖକୁ ପ୍ରୟୋଜନୀୟ ତଥ୍ୟ ମାଗିଛି।

ସୁଭଦ୍ରା ଯୋଜନାର ନିୟମାବଳୀ ଅନୁଯାୟୀ, ଯୋଜନାର ହିତାଧିକାରୀଙ୍କ ବୟସ ୨୧ ବର୍ଷରୁ ଅଧିକ କିନ୍ତୁ ୬୦ ବର୍ଷରୁ କମ୍ ହେବା ଜରୁରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ହେଲା, ଯେ କୌଣସି ମହିଳା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତାହାଠାରୁ ଅଧିକ ଆର୍ଥିକ ସହାୟତା (ଛାତ୍ରବୃତ୍ତି ସହିତ) ପାଉଥିଲେ, ସେ ଏହି ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେବେ। ବିଭାଗକୁ ମିଳିଥିବା ଅଭିଯୋଗକୁ ଧ୍ୟାନରେ ରଖି, ଛାତ୍ରବୃତ୍ତିକୁ କେବଳ ଶିକ୍ଷା ବ୍ୟୟ ଭାବେ ଦେଖାଯାଇପାରିବ କି ନାହିଁ ତାହା ନିରୂପଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଏଥିପାଇଁ ବିଭାଗ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ମାଗିଛି। ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗଙ୍କୁ ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ କେଉଁ ଛାତ୍ରୀମାନେ ୧୮,୦୦୦ ଟଙ୍କାରୁ ଅଧିକ ଛାତ୍ରବୃତ୍ତି ପାଇଛନ୍ତି, ସେମାନଙ୍କର ସମ୍ପୂର୍ଣ୍ଣ ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁଭଦ୍ରା ଯୋଜନା ସମ୍ପର୍କିତ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା କମିଟିର ସମୀକ୍ଷା ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିରୀକରଣ ହୋଇଛି। ଏଥିରେ ଜଣାଯାଇଛି ଯେ, ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଯେତେବେଳେ ୬୦ ବର୍ଷ ବୟସ ପୂରଣ କରିବେ, ସେତେବେଳେ ସେମାନେ ସରକାରୀ ବାର୍ଦ୍ଧକ୍ୟ ପେନସନ ଯୋଜନା ‘ମଧୁ ବାବୁ ପେନସନ ଯୋଜନା’ (ଏମବିପିୱାଇ) ଏବଂ ‘ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ’ (ଏନଏସଏପି) ପାଇଁ ଆବେଦନ କରିପାରିବେ। ଏହି ଦୁଇଟି ଯୋଜନାରେ ସୁଭଦ୍ରାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ସରକାର ଆଗେଇ ଚାଲିଛନ୍ତି।