ମହିଳା ଅପରାଧ ମାମଲାରେ ତ୍ଵରିତ ନ୍ୟାୟ ପାଇଁ ୬ଟି ସ୍ଥାନରେ ଖୋଲାଯିବ ଫାଷ୍ଟଟ୍ରାକ କୋର୍ଟ
କଟକ (ସଂକେତ ଟିଭି): ମହିଳା ସଂକ୍ରାନ୍ତିୟ ଅପରାଧ ମାମଲାର ଦ୍ରୁତ ବିଚାର ଓ ପୀଡିତାଙ୍କୁ ନ୍ୟାୟ ଯୋଗାଇଦେବା ପାଇଁ ରାଜ୍ୟରେ ଖୁବଶୀଘ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ ସ୍ଥାପନ କରାଯିବ । ଏହି କୋର୍ଟଗୁଡ଼ିକରେ ପୀଡିତା ନିଜର ଅନୁଭୂତି କୌଣସି ଭୟ ବିନା ଓ ଖୋଲାଖୋଲି ଭାବେ ବୟାନ କରିପାରିବେ ବୋଲି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି । କଟକରେ ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାର ସମାପ୍ତି ଅନୁଷ୍ଠାନରେ ସେ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାର ତଥ୍ୟ ଦର୍ଶାଇଥିଲେ ।
ଆଇନମନ୍ତ୍ରୀ କହିଛନ୍ତି ଯେ ମହିଳା ଉପରେ ହେଉଥିବା ଅପରାଧଗୁଡିକର କଠୋର ବିଚାର ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ଏଥିପାଇଁ ପରୀକ୍ଷାମୂଳକ ଭାବରେ ରାଜ୍ୟର ୬ଟି ସ୍ଥାନରେ ଫାଷ୍ଟଟ୍ରାକ ମହିଳା କୋର୍ଟ ଖୋଲାଯିବ । ଏହି କୋର୍ଟରେ ଜୁଡିସିଆଲ ଅଫିସରଠାରୁ ଆରମ୍ଭ କରି ପ୍ରୋସିକ୍ୟୁଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମହିଳା ନିଯୁକ୍ତ କରାଯିବ, ଯାହାଦ୍ୱାରା ପୀଡିତାଙ୍କୁ ଅଧିକ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ ମିଳିପାରିବ । ଏହି କୋର୍ଟଗୁଡିକ ମହିଳା ଅପରାଧ ସଂକ୍ରାନ୍ତିତ ମାମଲାଗୁଡିକର ତ୍ଵରିତ ବିଚାର କରି ଦଣ୍ଡ ବ୍ୟବସ୍ଥା କରିବେ । ସରକାର ଓ ହାଇକୋର୍ଟ ମିଳିତ ଭାବରେ ଏ ବିଷୟରେ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଜଣାଇଛନ୍ତି ।
ତିନିଦିନ ଧରି କଟକର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଆୟୋଜିତ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାର ସମାପ୍ତି ଉତ୍ସବ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ସମ୍ପନ୍ନ ହେଲା । ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ମନ୍ତ୍ରୀ ପରେଡ୍ ଗ୍ରହଣ କରି କୃତିମାନ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଏକ ବିକଶିତ ରାଷ୍ଟ୍ର ଓ ସମୃଦ୍ଧ ରାଜ୍ୟ ଗଠନରେ ପୋଲିସଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହିପରି ପ୍ରତିଯୋଗିତା ପୋଲିସଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରି ଜନସାଧାରଣଙ୍କ ଆସ୍ଥା ଅର୍ଜନ କରିବ ।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ତ୍ଵରିତ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ଜିଲ୍ଲାରେ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ନିଯୁକ୍ତ କରାଯାଇଛି । ମହିଳା, ଶିଶୁ ଓ ଦୁର୍ବଳ ବର୍ଗଙ୍କ ସୁରକ୍ଷା ପାଇଁ ସରକାର ସଦା ସଚେତନ ଅଛନ୍ତି । ଏହି ଅବସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ, କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ । ପୋଲିସଙ୍କ ବୃତ୍ତିଗତ ସେବା, ନିଶାଦ୍ରବ୍ୟ ଚୋରାଚାଲାଣ ରୋକଥାନ, ଆଇନ ଶୃଙ୍ଖଳା ରକ୍ଷା ଆଦି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
