FeaturedLatestNewsPolitics

ନୂଆପଡ଼ା ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ

ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

ନାମାଙ୍କନ ଦାଖଲ ପୂର୍ବରୁ ସ୍ଥାନୀୟ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସ୍ନେହାଙ୍ଗିନୀ ଛୁରିଆ ନିର୍ବାଚନ ଅଧିକାରୀଙ୍କ ପାଖରେ ମୋଟ ୪ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦଳର ସଭାପତି ତାଙ୍କୁ ଏହି ପ୍ରାର୍ଥୀ ଭାବେ ନିର୍ବାଚିତ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ଏବଂ ବିଜେଡି ନୂଆପଡ଼ାରେ ନିଶ୍ଚିତ ଭାବରେ ବିଜୟୀ ହେବ ବୋଲି ଦାବୀ କରିଛନ୍ତି ।

ନାମାଙ୍କନ ପ୍ରକ୍ରିୟା ସମୟରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଟୁକୁନି ସାହୁ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପନେତା, ଉପସଭାପତି ସଂଜୟ ଦାସବର୍ମା, ସାଂସଦ ନିରଞ୍ଜନ ବିଶି, ବିଧାୟକ ରୋମାଞ୍ଚରଞ୍ଜନ ବିଶ୍ୱାଳ ଏବଂ ପଶ୍ଚିମ ଓଡ଼ିଶାର ଅନେକ ଗଣମାନ୍ୟ ନେତା ଉପସ୍ଥିତ ଥିଲେ । ଗତ ରବିବାର ବିଜେଡି ଏହି ଆସନ ପାଇଁ ଏକ ବିଶାଳ ରାଲିର ଆୟୋଜନ କରି ନିଜର ଶକ୍ତିର ପ୍ରଦର୍ଶନ କରିଥିଲା ।

ଉଲ୍ଲେଖ୍ୟ, ବିଧାୟକ ରାଜେନ୍ଦ୍ର ଢାଲକିଆଙ୍କ ନିଧନ ପରେ ଏହି ଆସନଟି ଖାଲି ହୋଇଥିଲା । ଏହି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ଘାସିରାମ ମାଝି ଏବଂ ବିଜେପି ପକ୍ଷରୁ ମୃତ ବିଧାୟକଙ୍କ ପୁତ୍ର ଜୟ ଢାଲକିଆ ପ୍ରାର୍ଥୀ ଭାବେ ଗତ ୧୮ ତାରିଖରେ ନାମାଙ୍କନ ଦାଖଲ କରିସାରିଛନ୍ତି ।