CrimeFeaturedLatestNewsPolitics

ପୀତବାସ ପଣ୍ଡା ହତ୍ୟା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ  

ବ୍ରହ୍ମପୁର (ସଂକେତ ଟିଭି): ବ୍ରହ୍ମପୁର ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଭୟଙ୍କର ଷଡଯନ୍ତ୍ର ଓ ତାହାର ପୂର୍ବପ୍ଲାନ ବିଷୟରେ ପ୍ରକାଶ କରିଛନ୍ତି । କିପରି ଏହି ହତ୍ୟା ସଂଘଟିତ ହୋଇଥିଲା ଏବଂ କିଏ କିଏ ଏଥିରେ ଜଡିତ ଥିଲେ, ତାହାର ସବିଶେଷ ବିବରଣୀ ପୋଲିସ ପାଖରେ ରହିଛି ।

ପ୍ରଥମ ଅସଫଳ ଚେଷ୍ଟା:

ଅକ୍ଟୋବର ୬ ତାରିଖରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ପୀତବାସ ପଣ୍ଡାଙ୍କୁ ପାୟାରିଂ କରି ହତ୍ୟା କରାଯାଇଥିଲା, ଯାହା ଥାନାରେ ୫୧୮ ନମ୍ବର ମାମଲାରେ ରେଜିଷ୍ଟର୍ ହୋଇଥିଲା । ଏହି ହତ୍ୟା ପାଇଁ ସେପ୍ଟେମ୍ବର ମାସ ହିଁ ଚୂଡାନ୍ତ ଯୋଜନାର ସମୟ ଥିଲା । ମଳୟ ବିଷୋୟୀ (ଉମା) ଓ ମଦନ ପଲେଇଙ୍କ ମୁଖ୍ୟ ଭୂମିକାରେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ଏହି ଷଡଯନ୍ତ୍ରରେ ଜଡିତ ଥିଲେ । ସେପ୍ଟେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ଆଣାଯାଇଥିଲା ଏବଂ ଯୋଗେନ୍ଦ୍ର ରାଉତ (ଯୋଗୀ) ଓ ଉମାଙ୍କ ଦ୍ଵାରା ସେମାନଙ୍କୁ ଏକ ଭଡା ଘରେ ରଖାଯାଇଥିଲା । ମଳୟ ବିଷୋୟୀଙ୍କ ପରିଚିତ ଶୂନ୍ୟଚନ୍ଦ୍ର ଦାସଙ୍କୁ ମେଡିକାଲ୍ କାମ ଭାବରେ ଏହାର ଆବରଣ ଦିଆଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ସନ୍ଦେହ ଜନ୍ମିଥିଲା । ଯୋଜନା ଅନୁଯାୟୀ, ଏହି ଟିମ୍ ପୀତବାସଙ୍କ ଚ୍ୟାମ୍ବର ରେକି କରିଥିଲା, କିନ୍ତୁ ବିହାରରୁ ଆସିଥିବା ସୁଟରଙ୍କ ସ୍ତ୍ରୀଙ୍କ ଦେହ ଖରାପ ଯୋଗୁଁ ସେମାନେ ଫେରିଯିବାରୁ ପ୍ରଥମ ଚେଷ୍ଟା ବିଫଳ ହୋଇଥିଲା ।

ଦ୍ୱିତୀୟ ଯୋଜନା ଓ ହତ୍ୟା:

ପ୍ରଥମ ଯୋଜନା ବିଫଳ ହେବା ପରେ ଅକ୍ଟୋବର ୬ ତାରିଖରେ କାର୍ଯ୍ୟକାରୀ କରିବା ପାଇଁ ଏକ ନୂଆ ଟିମ୍ ଗଠନ କରାଯାଇଥିଲା । ଉମା ବିଷୋୟୀ ନିଜ ଗାଁ ବନ୍ତପଲେଇରୁ କ୍ରୁପତି ଭୂୟାଁ ଓ ବେଙ୍ଗାଲୁରୁରୁ ଆସିଥିବା ଚିଣ୍ଟୁ ପ୍ରଧାନଙ୍କୁ ନିଯୁକ୍ତ କରିଥିଲେ । ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଘର ନେଇ ସେମାନେ ପୁନର୍ବାର ରେକି କରିଥିଲେ । ଗାଡି ଚାଳକଙ୍କୁ ୩ ଲକ୍ଷ ଟଙ୍କା ଏବଂ ଗୁଳିଚାଳକଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦେବା ପ୍ରତିଶ୍ରୁତି ଦିଆଯାଇଥିଲା । ଘଟଣା ଦିନ ସେମାନଙ୍କୁ ନୂଆ ପୋଷାକ, ଜୋତା ଏବଂ ଦୁଇଟି ବନ୍ଧୁକ ଦିଆଯାଇଥିଲା ।

ହତ୍ୟାର ଦିନ:

ଅକ୍ଟୋବର ୬ ତାରିଖରେ ସକାଳ ୧୦ଟା ସମୟରେ ପୀତବାସ ପଣ୍ଡା ନିଜ ଚ୍ୟାମ୍ବରରୁ ବାହାରିବା ପରେ, ହତ୍ୟାକାରୀମାନେ ତାଙ୍କୁ ଅଟକାଇ ନମସ୍କାର କରିଥିଲେ । ପୀତବାସ କିଏ ବୋଲି ପଚାରିବା ମାତ୍ରେ ଚିଣ୍ଟୁ ପ୍ରଧାନ ଚାଳିତ ଗାଡିରୁ କ୍ରୁପତି ଭୂୟାଁ ପଏଣ୍ଟ ବ୍ଲାଙ୍କରୁ ଗୁଳି ଚଳାଇଥିଲେ । ଏହି ଘଟଣା ପରେ ହତ୍ୟାକାରୀମାନେ ରାମେଶ୍ଵରମ ଅଭିମୁଖେ ପଳାୟନ କରିଥିଲେ ଏବଂ ପୁରୀରେ ଗାଡି ଛାଡି ଦେଇ ଅନ୍ତର୍ଦ୍ଧାନ ହୋଇଥିଲେ ।

ଗିରଫଦାରୀ ଓ ଅନ୍ୟ ତଥ୍ୟ:

ବ୍ରହ୍ମପୁର ଏସ୍‌ପିଙ୍କ ମତାନୁଯାୟୀ, ପିଣ୍ଟୁ ଦାସଙ୍କ ନାମରେ ୩୮ଟି ମାମଲା ରହିଛି ଏବଂ ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ଅପରାଧୀକ ଷଡଯନ୍ତ୍ରର ପ୍ରମାଣ ମିଳିଛି । ଏଯାବତ୍ ଏହି ମାମଲାରେ ୧୨ ଜଣକୁ ଗିରଫ କରାଯାଇସାରିଛି ଏବଂ ୩ ଜଣ ଆଜୋଧ୍ୟ ଅଛନ୍ତି । ମୁଖ୍ୟ ଆୟୋଜକ ଉମା ବିଷୋୟୀଙ୍କ ପାଖରେ ଟଙ୍କାର ଡିଲ୍ ରହିଥିବାର ମଧ୍ୟ ପୋଲିସ ଜଣାଇଛନ୍ତି ।