FeaturedLatestNews

ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ସଜାଗ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏକ ସମୀକ୍ଷା ବୈଠକରେ ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟର ପ୍ରସ୍ତୁତିର ପରୀକ୍ଷା କରିଛନ୍ତି। ବାତ୍ୟା ପାଇଁ ସ୍କୁଲ ଛୁଟି ସମ୍ବନ୍ଧୀୟ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି (ରବିବାର) ନିଆଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଆଜି (ଶନିବାର) ସମସ୍ତ ସରକାରୀ କର୍ମଚାରୀଙ୍କୁ କାର୍ୟ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।

ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ସଠିକ୍ ଚିତ୍ର ସ୍ପଷ୍ଟ ହୋଇଯିବ। ଯାହା ପୂର୍ବରୁ ଏକ ଲଘୁଚାପ ବୋଲି ଅନୁମାନ କରାଯାଇଥିଲା, ତାହା ବର୍ତ୍ତମାନ ଏକ ଅବପାତରେ ପରିଣତ ହୋଇଛି। ଏହି ଅବପାତ ଗୋପାଳପୁରଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଛି। ଏହାର ତୀବ୍ରତା ବଢ଼ିବାରେ ଲାଗିଛି ଏବଂ ଏହା ଆଗକୁ ଚାଲିଛି ବାତ୍ୟାରେ ପରିଣତ ହେବାକୁ। ମନ୍ତ୍ରୀ ଜଣାଇଛନ୍ତି ଯେ ରାଜ୍ୟ ସରକାର ଏହି ପରିସ୍ଥିତି ପାଇଁ ପୂର୍ବରୁ ହିଁ ପ୍ରସ୍ତୁତି ସାରିଛନ୍ତି।

ପୂର୍ବାନୁମାନ ଅନୁଯାୟୀ, ମଇ ୨୮ ଓ ୨୯ ତାରିଖରେ ଅବପାତଜନିତ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ। ଦକ୍ଷିଣାଞ୍ଚଳର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ମନ୍ତ୍ରୀ କହିଛନ୍ତି ଯେ ଲଘୁଚାପର ଦିଗ ପରିବର୍ତ୍ତନ ହୋଇପାରେ, ତେଣୁ ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯଦି ଦିଗ ପରିବର୍ତ୍ତନ ହୁଏ, ତେବେ ୩୦ଟି ଜିଲ୍ଲା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି। ପ୍ରଭାବିତ ହେବାର ସମ୍ଭାବନା ଥିବା ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ପ୍ରସ୍ତୁତି ସମ୍ପର୍କୀୟ ଆଲୋଚନା ହୋଇସାରିଛି।

ସରକାରୀ ପ୍ରସ୍ତୁତିର ବିବରଣୀ ଦେଇ ମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ଭଳି ସମସ୍ତ ବିଭାଗକୁ ଆଗୁଆ ଭାବରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତୀତର ଅନୁଭୂତିକୁ ମନେ ରଖି ନିଖୁଣ ପ୍ରସ୍ତୁତି କରାଯାଇଛି ଏବଂ ଲୋକଙ୍କୁ ବିଚଳିତ ନହେବାକୁ ଅନୁରୋଧ କରାଯାଇଛି। ସମୁଦ୍ରରେ ଥିବା ମଛୁଆମାନଙ୍କୁ ଫେରିଆସିବାକୁ କୁହାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ, ରିଲିଫ୍ ସେଣ୍ଟର, ପଲିଥିନ ଓ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ଯେତେଦିନ ପର୍ଯ୍ୟନ୍ତ ପାଣି ରହିବ, ସେତେଦିନ ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ କରାଯିବ। ଜୀବନ ରକ୍ଷାକୁ ମୂଳ ଲକ୍ଷ୍ୟ ରଖାଯାଇଛି ଏବଂ ସରକାର ଲୋକଙ୍କ ରକ୍ଷାର କବଚ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକରେ ଜିଲ୍ଲାପାଳଙ୍କୁ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ଉପରେ ପାଣି ଜମାହେଲେ ଉଭୟ ପାର୍ଶ୍ୱରେ ରାସ୍ତା ବନ୍ଦ କରି ସେଠାରେ ଅଟକି ପଡ଼ିଥିବା ଯାତ୍ରୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯିବ। ଦକ୍ଷିଣ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ଆକଳନ ଅନୁଯାୟୀ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ।