FeaturedLatestNews

ବାତ୍ୟା ‘ମୋନ୍ଥା’ କେଉଁଛି କରିବ ଲ୍ୟାଣ୍ଡଫଲ ସ୍ପଷ୍ଟ ହେଲା ଚିତ୍ର

ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ‘ମୋନ୍ଥା’ ର ସ୍ଥଳଭାଗ ଛୁଇଁବାର ସ୍ଥାନ ଓ ସମୟ ସମ୍ପର୍କରେ ସ୍ପଷ୍ଟତା ଆସିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏହା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ ଓ କଳିଙ୍ଗପଟନମ୍ ମଧ୍ୟବର୍ତ୍ତୀ ଅଞ୍ଚଳ, ମୁଖ୍ୟତଃ କାକିନାଡ଼ା ନିକଟରେ ୨୮ ମଇ ସନ୍ଧ୍ୟା ବା ରାତିରେ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ହୋଇଥାଇ ପାରେ ଏବଂ ସର୍ବାଧିକ ବେଗ ୧୧୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ଅଛି।

ଯଦିଓ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ, ତଥାପି ଏହାର ପ୍ରଭାବରେ ରାଜ୍ୟରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାୟଗଡ଼ା ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ଅନୁସାରେ, ଆଜି (୨୭ ମଇ) ଠାରୁ ପାଗ ବଦଳିବ ଏବଂ ୨୭ରୁ ୨୯ ମଇ ପର୍ଯ୍ୟନ୍ତ ଉପକୂଳୀୟ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବାତ୍ୟାର ପ୍ରଭାବ ସର୍ବାଧିକ ପଡ଼ିବ। ଏହି ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ହେବା ସହ କିଛି କିଛି ଜାଗାରେ ଭାରୀ ରୁ ଅତି ଭାରୀ ବର୍ଷା ହେବାର ସମ୍ଭାବନା ଅଛି। ୨୮ ଓ ୨୯ ମଇରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ହୋଇଥାଇ ପାରେ ଏବଂ ଝଡ଼ର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ଯାଏଁ ପହଞ୍ଚିପାରେ। ୩୦ ମଇଠାରୁ ପାଗରେ ଉନ୍ନତି ଆସିବ ଏବଂ ବର୍ଷାର ପରିମାଣ କମିଯିବ।

ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍କୁଲ ଛୁଟି ସମ୍ବନ୍ଧୀୟ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି (୨୮ ମଇ) ନିଆଯିବ। ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ୨୬ ମଇଠାରୁ ୩୦ ମଇ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ସମ୍ପୂର୍ଣ୍ଣ ଭାବରେ ମନା କରାଯାଇଛି ଏବଂ ସମସ୍ତ ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଉତ୍ତୋଳନ କରାଯାଇଛି। ବର୍ତ୍ତମାନ ବାତ୍ୟାଟି ଗୋପାଳପୁରଠାରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୧୦୪୦ କିଲୋମିଟର ଦୂରରେ ଅବସ୍ଥିତ।