ବିହାର ନିର୍ବାଚନ : ଆରଜେଡି ଯୋଗ ଦେଲେ ଏଆଇଏମଆଇଏମ, ବିଜେପି ଓ ଜେଡିୟୁ ନେତା
ପାଟନା (ସଂକେତ ଟିଭି): ବିହାର ବିଧାନସଭା ନିର୍ବାଚନ ଯେତିକି ନିକଟସ୍ଥ ହେଉଛି, ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି। ଏହି ପରିସ୍ଥିତିରେ ରବିବାର ଦିନ ଅସଦୁଦ୍ଦିନ ଓବେସୀଙ୍କ ଦଳ ଆଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ୍ ମୁସଲିମୀନ୍ (ଏଆଇଏମଆଇଏମ) ପକ୍ଷେ ଏକ ବଡ଼ ଆଘାତ ହେବା ସହ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଏକ ବଡ଼ ସଫଳତା ମିଳିଛି। ଏଆଇଏମଆଇଏମର ଅନେକ ଗୁରୁତ୍ଵପୂର୍ଣ୍ଣ ନେତା ଆରଜେଡିରେ ଯୋଗ ଦେଇଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବ ନିଜେ ଉକ୍ତ ନେତାମାନଙ୍କୁ ଦଳରେ ସ୍ୱାଗତ କରିଛନ୍ତି।
ଏହି ରାଜନୈତିକ ପରିବର୍ତ୍ତନରେ କେବଳ ଏଆଇଏମଆଇଏମ ନୁହେଁ, ବରଂ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଜନତା ଦଳ (ଏକୃତ)ର (ଜେଡିୟୁ) କେତେକ ନେତା ମଧ୍ୟ ଆରଜେଡିରେ ସାମିଲ ହୋଇଛନ୍ତି। ଏଆଇଏମଆଇଏମ ଛାଡି ଆରଜେଡିରେ ଯୋଗ ଦେଇଥିବା ନେତାମାନଙ୍କ ମଧ୍ୟରେ ଜଫର ଅସଲମ, ମୁଫ୍ତି ଅତହର ଜାଭେଦ, ମୁଫ୍ତି ସୁଫିଆନ, ନେହାଲ ଅଖତର, କୈସର ରାହୀ, ନିୟାଜୁଲ ହସନ, ଅର୍ଶୀ ଅଜିଜ୍, ଅବଦୁଲ କୟୁମ ଏବଂ କଲିମୁଦ୍ଦିନ ଆଦି ଅନ୍ୟତମ। ଏହା ଛଡା, ବିଜେପିର ପ୍ରଗତି ମେହେଟ୍ଟା, ଜେଡିୟୁ ନେତା ତଥା ମରୌଢାର ପୂର୍ବତନ ପ୍ରାର୍ଥୀ ଅଲତାଫ ଆଲମ ରାଜୁ ଏବଂ ଗଡଖା ଜିଲ୍ଲା ପରିଷଦ ସଦସ୍ୟ ଯୋଗେନ୍ଦ୍ର ରାମ ପ୍ରମୁଖ ନିଜର ଶତାଧିକ ସମର୍ଥକଙ୍କ ସହ ଆରଜେଡିରେ ସାମିଲ ହୋଇଥିବା ବେଳେ ଦଳ ପକ୍ଷରୁ ସେମାନଙ୍କୁ ଭବ୍ୟ ଭାବେ ସ୍ୱାଗତ କରାଯାଇଛି।
ଆରଜେଡିର ପ୍ରଦେଶ ମୁଖପାତ୍ର ଏଜାଜ ଅହମଦ କହିଛନ୍ତି ଯେ ତେଜସ୍ୱୀ ଯାଦବ ସମସ୍ତ ନୂତନ ସଦସ୍ୟଙ୍କୁ ସଦସ୍ୟତା ରସିଦ ଏବଂ ପାର୍ଟିର ପ୍ରତୀକ ଚିହ୍ନ ଗାମୁଛା ପ୍ରଦାନ ପୂର୍ବକ ସ୍ୱାଗତ କରିଛନ୍ତି। ଏହି ଅବସରରେ ତେଜସ୍ୱୱୀ କହିଛନ୍ତି, “ଆମେ ସମସ୍ତେ ମିଶି ବିହାର ବଦଳାଇବା ପାଇଁ ଏକାଠି ଛିଡା ହୋଇଛୁ। କାରଣ ଆମେ ବିହାରର ଲୋକଙ୍କ ନିମନ୍ତେ ‘ହର ଘର ନୌକରୀ’, ରୋଜଗାର, ବିହାର ବିକାଶକୁ ନୂଆ ଆୟାମ ଦେବା ଲାଗି ସମ୍ବିଧାନ ଓ ଗଣତନ୍ତ୍ରର ହେପାଜତ ନିମନ୍ତେ ଭାଇଚାରାକୁ ମଜଭୁତ କରିବାକୁ ସଂକଳ୍ପ ସହିତ ବିହାର ନିର୍ବାଚନକୁ ଯାଉଛୁ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିହାରୀ ଜନତାଙ୍କ ବିଶ୍ୱାସ ଓ ସମର୍ଥନ ପରିବର୍ତ୍ତନ ଲାଗି ହୋଇଛି ଏବଂ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି। ଏହି ଅବସରରେ ଏଆଇଏମଆଇଏମରୁ ଆସି ଆରଜେଡିରେ ମିଶିଥିବା ନେତାମାନେ କହିଛନ୍ତି, “ବିହାର ଜନତାଙ୍କ ମିଜାଜ ଏବେ ତେଜସ୍ୱୀ ଯାଦବଙ୍କ ଭିଜନ ଓ ମିସନ ସହିତ ରହିଛି। ଆମେ ସବୁ ତେଜସ୍ୱୀ ଯାଦବଙ୍କୁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛୁ। ଏଣୁ ଆମେ ଆମ ପୁରୁଣା ପାର୍ଟି ଓ ଲାଲୁଙ୍କ ବିଚାରଧାରା ସହ ପୁଣି ସଂଯୁକ୍ତ ହୋଇଛୁ।”
