ବାତ୍ୟା ମୋନ୍ଥାକୁ ନେଇ ପାଣିପାଗ ବିଭାଗ କଲା ବଡ଼ ଆକଳନ
ଭୁବନେଶ୍ୱର (ସଂକେତ ଟିଭି): ଘୂର୍ଣ୍ଣିବାତ୍ୟା ମୋନ୍ଥା ଏବେ ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ମଧ୍ୟରେ ଏହି ବାତ୍ୟା ମୋନ୍ଥା ସ୍ଥଳଭାଗରେ ମୋନ୍ଥା ଲ୍ୟାଣ୍ଡଫଲ କରିବ। କିଛି ଆନ୍ତର୍ଜାତୀୟ ମଡେଲ୍ ଅନୁସାରେ, ରାତି ୮ଟା ବେଳେ ଏହା ଏକ ଭୟଙ୍କର ରୂପ ନେବ।
ବାତ୍ୟାର ପ୍ରଭାବ ସର୍ବାଧିକ କାକିନାଡ଼ା ଅଞ୍ଚଳରେ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଏହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବ ବୋଲି ପ୍ରକାଶ କରାଯାଇଛି। ଗତକାଲି ସାମାନ୍ୟ ପବନରେ ମଧ୍ୟ ଅନେକ ଗଛ ଭାଙ୍ଗି ପଡ଼ିଥିବା ଦେଖାଯାଇଥିଲା। ତେଣୁ କାକିନାଡ଼ା ଓ ତା ଆଖପାଖ ଅଞ୍ଚଳରେ ଅନେକ ଗଛ ଭାଙ୍ଗି ପଡ଼ିବାର ସମ୍ଭାବନା ରହିଛି।
ବାତ୍ୟାର ପ୍ରଭାବରେ ଆଜି ରାତି ୮ଟା ବେଳେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପବନର ବେଗ ଘଣ୍ଟା ପ୍ରତି ୬୦ କିଲୋମିଟର ରହିବା ସହିତ ପ୍ରବଳ ବର୍ଷା ହେବ।
ବାତ୍ୟା ମୋନ୍ଥା ଧୀରେ ଧୀରେ ଓଡ଼ିଶାର ଉତ୍ତର ଦିଗକୁ ଗତି କରିବ ବୋଲି ଆକଳନ କରାଯାଇଛି। ଫଳସ୍ୱରୂପ, ଭଦ୍ରକ, ବାଲେଶ୍ୱର ଓ ବାରିପଦା ଭଳି ଉତ୍ତର ଓଡ଼ିଶା ଅଞ୍ଚଳରେ ମଧ୍ୟ ବର୍ଷାର ପରିମାଣ ବଢ଼ିବ ଏବଂ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ।
