FeaturedLatestNews

ଓଡ଼ିଶାର ସବୁ ନୂଆ ରାସ୍ତାରେ ଲାଗିବ ସ୍କାନର, ବୃକ୍ଷରୋପଣ ହେବ ଅନିବାର୍ଯ୍ୟ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ସମସ୍ତ ନୂତନ ରାଜପଥ ଏବଂ ସଡ଼କଗୁଡ଼ିକରେ ସ୍କାନର୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ପୂର୍ତ୍ତ ବିଭାଗ ଏହି ଉଦ୍ଦେଶ୍ୟରେ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ପ୍ରସ୍ତାବକୁ କାର୍ଯ୍ୟରୂପ ଦେବାର ପ୍ରକ୍ରିୟା ଆରମ୍ଭ କରିଛି । ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଯୋଜନାର ସୂଚନା ଦେଇଛନ୍ତି ।

ଏହି ବ୍ୟବସ୍ଥା ଅନୁଯାୟୀ, ରାସ୍ତାର ସମସ୍ତ ସୂଚନା ଏକ QR କୋଡ଼ରେ ଉପଲବ୍ଧ ହେବ । ଏଥିରେ ଠିକାଦାର ସଂସ୍ଥାର ସମ୍ପୂର୍ଣ୍ଣ ବିବରଣୀ, ରାସ୍ତା ନିର୍ମାଣର କାଳାବଧି, ମୂଲ୍ୟ ଏବଂ ବ୍ୟୟ ବରାଦ ଆଦି ତଥ୍ୟ ଅନ୍ତର୍ଭୁକ୍ତ ରହିବ । ଏହି ପଦକ୍ଷେପ ଜରିଆରେ ରାସ୍ତା ନିର୍ମାଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପାରଦର୍ଶୀ କରାଯିବା ଲକ୍ଷ୍ୟ ରଖାଯାଇଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଲା, ପ୍ରତ୍ୟେକ ନୂଆ ରାସ୍ତା ନିର୍ମାଣ ସମୟରେ ବୃକ୍ଷରୋପଣ କରାଯିବ । ରାସ୍ତା ନିର୍ମାଣ ଖର୍ଚ୍ଚର ଅତିରିକ୍ତ ୧% ଅର୍ଥ ବୃକ୍ଷରୋପଣ ଏବଂ ସେଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବ୍ୟୟିତ ହେବ । ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ଏବଂ ଅନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ଏହି ନିୟମ ପାଳନ କରାଯିବ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ରାସ୍ତାକଡ଼ରେ ଗ୍ରୀନ୍ କରିଡର୍ ସୃଷ୍ଟି କରି ପରିବେଶ ବନ୍ଦୋବସ୍ତକୁ ସହାୟତା କରିବା ।