ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି
ଭୁବନେଶ୍ବର (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିରର (ଶ୍ରୀମନ୍ଦିର) ରତ୍ନଭଣ୍ଡାରରେ ଥିବା ଅମୂଲ୍ୟ ରତ୍ନ ଓ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ଓ ଗଣତି ମଣତି ହେବ। ଆଗାମୀ ୧୧ ତାରିଖରେ ଶ୍ରୀମନ୍ଦିର ବିକାଶ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ ହେବ।
ମନ୍ତ୍ରୀ ହରିଚନ୍ଦନ ଭକ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଦର୍ଶନ ସମୟରେ ତରବର ନହୋଇ ମନ୍ଦିର ପ୍ରଶାସନର ବ୍ୟବସ୍ଥାକୁ ସହଯୋଗ କରନ୍ତୁ। ଶୃଙ୍ଖଳିତ ଦର୍ଶନ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।
ଗତ ସେପ୍ଟେମ୍ବର ମାସରେ ସଂରକ୍ଷଣ ଓ ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ଶୁଭବେଳା, ପୂର୍ବାହ୍ନ ୧୦ଟା ୫୫ ମିନିଟରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୫୫ ମିନିଟରେ ଏହି କାର୍ଯ୍ୟ ସମାପ୍ତ ହୋଇଥିଲା। ମୋଟ ୪ ଘଣ୍ଟାରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା।
ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟମାନେ ପାରମ୍ପରିକ ପୋଷାକରେ ଉପସ୍ଥିତ ଥିଲେ। ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରୁ ଦୁଇ ଜଣ ସଦସ୍ୟଙ୍କୁ ଏହି ପ୍ରକ୍ରିୟାରେ ରହିବା ପାଇଁ ସ୍ଥିର କରାଯାଇଥିଲେ। ଏଥିପାଇଁ ଅଧ୍ୟକ୍ଷ ଜଷ୍ଟିସ୍ ରଥ ଓ ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କୁ ଚିଠି ପଠାଯାଇଥିଲା। କିନ୍ତୁ ବାସ୍ତବରେ ଜଷ୍ଟିସ୍ ରଥ ହିଁ ଉପସ୍ଥିତ ଥିଲେ। ସୁଦର୍ଶନ ପଟ୍ଟନାୟକଙ୍କ ଅନୁପସ୍ଥିତି ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗତବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଅଳଙ୍କାରଗୁଡିକୁ ଏକ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ପକ୍ଷରୁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ରତ୍ନ ସ୍ଥାନାନ୍ତରଣର ପୂର୍ବରୁ ଗତ ୧୯ ସେପ୍ଟେମ୍ବରରେ ରତ୍ନଭଣ୍ଡାରକୁ ଶୁଦ୍ଧ କରାଯାଇଥିଲା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଅକ୍ଟୋବର ମାସ ମଧ୍ୟରେ ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।
