ପାରାଦ୍ୱୀପ ହେବ ମେଗା ପୋର୍ଟ, ୪୬ ହଜାର କୋଟିର ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ‘ବୋଇତ ବନ୍ଦାଣ ଉତ୍ସବ- ୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବନ୍ଦର ଭିତ୍ତିକ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟର ଗାରିମାସମ୍ପନ୍ନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଆଲୋକପାତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟର ବନ୍ଦର ଉନ୍ନତି ପାଇଁ ୪୬ ହଜାର କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିସହିତ ସେ କହିଛନ୍ତି ଯେ ଗଞ୍ଜାମର ବାହୁଦା ମୁହାଣରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ ବନ୍ଦର ଗଢ଼ାଯିବ ଏବଂ ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କା ବିନିଯୋଗରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବ । ପୁରୀରେ ବିଶ୍ୱସ୍ତରୀୟ କ୍ରୁଜ୍ ଟର୍ମିନାଲ୍ ଗଢ଼ାଯିବା ଯୋଜନା ମଧ୍ୟ ରହିଛି ।
ପାରାଦ୍ୱୀପ ବନ୍ଦରକୁ ମେଗା ପୋର୍ଟ ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁଠାରେ ପରିବହନ କ୍ଷମତା ୫୦୦ ନିୟୁତ ଟନ୍ ପର୍ଯ୍ୟନ୍ତ ହେବ । ୨୦୧୫ରେ ୭୧ ନିୟୁତ ଟନ୍ ଥିବା ଏହି ବନ୍ଦରର କ୍ଷମତା ବଢ଼ି ୨୦୨୫ରେ ୧୫୦ ନିୟୁତ ଟନ୍ରେ ପହଞ୍ଚିଛି । “ମାରିଟାଇମ୍ ଇଣ୍ଡିଆ ଭିଜନ ୨୦୩୦” ଅନୁସାରେ ଏହାର ଲକ୍ଷ୍ୟ ୩୦୦ ନିୟୁତ ଟନ୍ ଏବଂ “ବିକଶିତ ଭାରତ ୨୦୪୭” ଅନୁଯାୟୀ ୫୦୦ ନିୟୁତ ଟନ୍ ନିର୍ଦ୍ଧାରିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଏହା ଓଡ଼ିଆ ଜନତାଙ୍କ ଦୃଢତା, ସାହସ ଓ ସଂସ୍କୃତିକ ଗର୍ବର ପ୍ରତୀକ । ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସହ ସମନ୍ୱୟ ରକ୍ଷା କରି ଓଡ଼ିଶାରେ ବନ୍ଦର ଭିତ୍ତିକ ଅର୍ଥନୀତି ଗଢ଼ାଯାଉଛି ଏବଂ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ କୋଷ୍ଟାଲ୍ ଇକୋନୋମିକ୍ ଜୋନ ସ୍ଥାପନ ପାଇଁ ଉଦ୍ୟମ ଚାଲିଛି ।
କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ଯେ ପାରାଦ୍ୱୀପ ବନ୍ଦର ଏବେ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଭାରତର ମାରିଟାଇମ୍ ଅର୍ଥନୀତିକୁ ଶକ୍ତିଶାଳୀ କରୁଛି । ସାଂସଦ ବିଭୁ ପ୍ରସାଦ ତରାଇ ଆଶା ପ୍ରକାଶ କରିଛନ୍ତି ଯେ ଭବିଷ୍ୟତରେ ପାରାଦ୍ୱୀପକୁ କେନ୍ଦ୍ର କରି ଅନେକ ପ୍ରକଳ୍ପ ଆସିବ, ଯାହା ରାଜ୍ୟର ଅର୍ଥନୈତିକ ମାନଚିତ୍ରକୁ ବଦଳାଇଦେବ । ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି. ଏଲ୍. ହରନାଧ କହିଛନ୍ତି ଯେ ଗତ ଚାରି ବର୍ଷ ଧରି ବନ୍ଦରଟି ନିରନ୍ତର ନୂଆ ରେକର୍ଡ ସୃଷ୍ଟି କରି ଦେଶର ନମ୍ବର ଏକ ବନ୍ଦର ହୋଇଆସିଛି ।
