ଗୋତମା ଏୟାରଷ୍ଟ୍ରିପରେ ପ୍ରଥମ ଥର ରାତ୍ରୀକାଳୀନ ଅବତରଣ କଲା ବାୟୁସେନା ବିମାନ
ନୂଆପଡ଼ା (ସଂକେତ ଟିଭି): ଭାରତୀୟ ବାୟୁସେନାର ଏକ ବିମାନ ଗୋତମା ଏୟାରଷ୍ଟ୍ରିପ୍ରେ ପ୍ରଥମ ଥର ପାଇଁ ରାତିରେ ସଫଳ ଅବତରଣ କରି ଇତିହାସ ସୃଷ୍ଟି କରିଛି। ଆଗାମୀ ନୂଆପଡ଼ା ଉପନିର୍ବାଚନରେ ମାଓବାଦୀ ପ୍ରଭାବିତ ସୁନାବେଡ଼ା ଅଞ୍ଚଳର ବୁଥ୍ଗୁଡ଼ିକୁ ପୋଲିଂ ଦଳର ପରିବହନ ପାଇଁ ଏହି ବିମାନ ଉପଯୋଗ କରାଯିବ। ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଉଦ୍ୟମରେ ଏହି ସଫଳତା ମିଳିଛି, ଯାହା ଉପନିର୍ବାଚନ ପ୍ରକ୍ରିୟାକୁ ନିରାପଦ ଏବଂ ସମୟ ସୀମାରେ ପୂରଣ କରିବାରେ ସହାୟକ ହେବ।
ସୁନାବେଡ଼ା ଅଞ୍ଚଳରେ ମାଓବାଦୀ ଉପସ୍ଥିତି ଥିବାରୁ ସମୟ ପରିଚାଳନା ଏକ ବଡ଼ ଚାଲେଞ୍ଜ ଥିଲା। ହେଲିପ୍ୟାଡ୍ ପାଇଁ ନିର୍ଦ୍ଧାରିତ ଶେଷ ସମୟ ସନ୍ଧ୍ୟା ୪:୪୫ ରେ ଥିବାରୁ, ଦିନ ଛୋଟ ହୋଇଥିବା ଶୀତ ସମୟରେ ଗୋତମାରେ ରାତିରେ ଅବତରଣ ଏକ ଅନିବାର୍ଯ୍ୟ ଆବଶ୍ୟକତା ହୋଇଉଠିଥିଲା। ଏହାକୁ ଧ୍ୟାନରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୂର୍ତ୍ତ ବିଭାଗ କାର୍ଯ୍ୟକଳାପ ଆରମ୍ଭ କଲା। ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳାଙ୍କ ନେତୃତ୍ଵରେ ଏବଂ ରାଜ୍ୟ ନିର୍ବାଚନ ଶାଖା ସହିତ ସମନ୍ୱୟରେ ଦୁଇ ଦିନ ମଧ୍ୟରେ ଦିଲ୍ଲୀରୁ ବିଶେଷ NGV (ନାଇଟ್ ଗୋଗଲ୍ ଭିଜନ୍) ସଜ୍ଜିତ IR ଲାଇଟ୍ ଆଣି ସ୍ଥାପନ କରାଗଲା। ଏହି ଲାଇଟ୍ ପାଇଲଟ୍ଙ୍କୁ ଅନ୍ଧକାର ଆକାଶରେ ୫ କିଲୋମିଟର ପର୍ଯ୍ୟନ୍ତ ହେଲିପ୍ୟାଡ୍ ଚିହ୍ନଟ କରିବାରେ ସହାୟକ ହୁଏ।
ଆଜି ୮ ତାରିଖରେ ଏହି ନୂତନ ଲାଇଟିଂ ସିଷ୍ଟମ୍ ପରୀକ୍ଷା କରାଗଲା ଏବଂ ରାତି ୮.୧୦ ଘଣ୍ଟାରେ ଭାରତୀୟ ବାୟୁସେନାର ବିମାନଟି ଗୋତମା ଏୟାରଷ୍ଟ୍ରିପ୍ରେ ସଫଳତାର ସହିତ ଅବତରଣ କଲା। ଏହି ଘଟଣା ନୂଆପଡ଼ା ଜିଲ୍ଲା ଏବଂ ଗୋତମା ଏୟାରଷ୍ଟ୍ରିପ୍ ପାଇଁ ଏକ ଐତିହାସିକ ମାହୋଲ୍ ସୃଷ୍ଟି କରିଛି। ଏହି ସଫଳତା ଉପନିର୍ବାଚନ ପାଇଁ ଏକ ବଡ଼ ସଫଳତା, କାରଣ ସୁନାବେଡ଼ାରେ ମଧ୍ୟ ନିର୍ବାଚନ ଶେଷ ହେବା ପରେ ପୋଲିଂ ଦଳଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ବିଳମ୍ବିତ ହେବନାହିଁ। ଏବେ ଇଭିଏମ୍ ମଧ୍ୟ ରାତିରେ ନିରାପଦରେ ନୂଆପଡ଼ା ପହଞ୍ଚିପାରିବେ। ଏହି ଐତିହାସିକ ସଫଳତା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ସମସ୍ତ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।
