ବିଜେପି ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନକୁ ନେଇ ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଜେପି ସରକାର ବିରୋଧରେ ଗୁରୁତର ଅଭିଯୋଗ ଉପସ୍ଥାପନ କରିଛନ୍ତି। ନିରବ ଅବଧି ଆରମ୍ଭ ହେବା ପରେ ମଧ୍ୟ ନୂଆପଡ଼ାରେ ବିଜେପିର ବାହାର ଅଞ୍ଚଳର ନେତା ଓ କାର୍ଯ୍ୟକର୍ତ୍ତାମାନେ ଖୋଲାଖୋଲି ଭାବେ ଘୂରିବୁଲି ନିୟମ ଉଲ୍ଲଂଘନ କରୁଥିବାରୁ ସେ ଆପତ୍ତି ପ୍ରକାଶ କରିଛନ୍ତି।
ନବୀନ ପଟ୍ଟନାୟକ ଦାବୀ କରିଛନ୍ତି ଯେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ନିରବ ଅବଧି ଆରମ୍ଭ ହେବା ପରେ ସମସ୍ତ ରାଜନୈତିକ ନେତା ଓ କର୍ମୀଙ୍କୁ ନିର୍ବାଚନ କ୍ଷେତ୍ର ଛାଡ଼ିବା ବାଧ୍ୟତାମୂଳକ। ମାତ୍ର ବିଜେପି ନେତା ଓ କର୍ମୀଙ୍କ ପକ୍ଷରୁ ଏହି ନିୟମର ଉଲ୍ଲଂଘନ ହେଉଥିବା ବେଳେ ବିଜେଡି ନେତାମାନେ ଏଥିରେ ଆପତ୍ତି ପ୍ରକାଶ କଲେ ପୋଲିସ ତାଙ୍କୁ ଅଟକ କରୁଛି। ଏଥିରୁ ଜଣାଯାଉଛି ଯେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସରକାରୀ ଦଳ ପକ୍ଷରୁ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ଘଟଣା ଗଣତନ୍ତ୍ରର ନିରପେକ୍ଷତାକୁ ଆଘାତ ଦେଉଥିବା ବୋଲି ନବୀନ ମତ ଦେଇ କହିଛନ୍ତି ଯେ ଏହା ନିର୍ବାଚନ ପ୍ରକ୍ରିୟା ଉପରେ ଜନତାର ବିଶ୍ୱାସକୁ ମଧ୍ୟ କମ କରୁଛି। ଏହାର ପ୍ରଭାବ ନୂଆପଡ଼ା ନିର୍ବାଚନର ନିରପେକ୍ଷତା ଉପରେ ପଡ଼ିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ତତ୍କାଳ ହସ୍ତକ୍ଷେପ କରି ୪୮ ଘଣ୍ଟାର ନିରବ ଅବଧି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ, ସମସ୍ତ ଅଣ-ସ୍ଥାନୀୟ ନେତାଙ୍କୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ଏବଂ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
ଉଲ୍ଲେଖ୍ୟ, ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବିଜେପି ପକ୍ଷରୁ ଜୟ ଢେଲକିଆ, ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପକ୍ଷରୁ ଘାସିରାମ ମାଝୀ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଛନ୍ତି। ପୋଲିଂ ବୁଥଗୁଡ଼ିକ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି।
