ପାକିସ୍ତାନରେ ବିସ୍ଫୋରଣ : ୧୭ ମୃତ, ୪୦ରୁ ଅଧିକ ଆହତ
ଇସଲାମାବାଦ (ସଂକେତ ଟିଭି): ପାକିସ୍ତାନର ରାଜଧାନୀ ଇସଲାମାବାଦ ଏବଂ ଖୈବର ପଖତୁନଖ୍ୱା ଅଞ୍ଚଳରେ ମଙ୍ଗଳବାର ଦିନ ହୋଇଥିବା ଦୁଇଟି ବିସ୍ଫୋରଣରେ ଅଦ୍ୟାବଧି ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇସଲାମାବାଦରେ ଏକ ହାଇକୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୨ ଜଣ ପ୍ରାଣ ହରାଇଛନ୍ତି ।
ଇସଲାମାବାଦର ଜିଲ୍ଲା ଓ ସେସନ୍ସ କୋର୍ଟ କମ୍ପ୍ଲେକ୍ସ ବାହାରେ ହୋଇଥିବା ଏହି ବିସ୍ଫୋରଣ ଏକ ଆତ୍ମଘାତୀ ଆକ୍ରମଣ ଥିବା ଅନ୍ତରୀଣ ମନ୍ତ୍ରୀ ମୋହସିନ୍ ନକଭି ନିଶ୍ଚିତ କରିଛନ୍ତି । ତାଙ୍କ ମତରେ, ଆକ୍ରମଣକାରୀ କୋର୍ଟ ଭିତରକୁ ଯିବାକୁ ଚେଷ୍ଟା କରିବା ପରେ ପୋଲିସ ଗାଡ଼ିକୁ ଲକ୍ଷ୍ୟ କରିଥିଲା । ଏହି ଘଟଣାରେ ଜଣେ ଓକିଲ ସହ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଥିବା କୁହାଯାଇଛି ।
ଅନ୍ୟ ପକ୍ଷରେ, ଖୈବର ପଖତୁନଖ୍ୱା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ପାଟ୍ରୋଲିଂ ଦଳକୁ ଲକ୍ଷ୍ୟ କରି ହୋଇଥିବା ବିସ୍ଫୋରଣରେ ୫ ଜଣ ନିହତ ହୋଇଛନ୍ତି ଏବଂ ୧୬ ଜଣ ଆହତ ହୋଇଛନ୍ତି । ସେନା ପକ୍ଷରୁ ଏହାକୁ ଆତ୍ମଘାତୀ ଆକ୍ରମଣ ବୋଲି ଘୋଷଣା କରାଯାଇଛି ।
ଏହି ଘଟଣାକୁ କଡ଼ିଦୃଷ୍ଟିରେ ରଖି ରାୱାଲପିଣ୍ଡି ସହରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଠୋର କରାଯାଇଛି, ଯେଉଁଠି ବର୍ତ୍ତମାନ କ୍ରିକେଟ୍ ମ୍ୟାଚ୍ ଚାଲିଛି । ପ୍ରଧାନମନ୍ତ୍ରୀ ଶେଭବାଜ୍ ଶରୀଫ୍ ଏହି ଆକ୍ରମଣକୁ କଠୋର ଭାବରେ ନିନ୍ଦା କରି ତଦନ୍ତ ଆଦେଶ ଦେଇଛନ୍ତି ଏବଂ ଦୋଷୀଙ୍କୁ ଦଣ୍ଡିତ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।
ମଙ୍ଗଳବାର ଅପରାହ୍ନରେ ପାକିସ୍ତାନର ରାଜଧାନୀ ଇସଲାମାବାଦର ଜିଲ୍ଲା କୋର୍ଟ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ପ୍ରାରମ୍ଭିକ ସୂଚନାନୁଯାୟୀ, କୋର୍ଟ କମ୍ପ୍ଲେକ୍ସର ପାର୍କିଂ ଲଟ୍ରେ ପାର୍କିଂ ହୋଇଥିବା ଏକ କାରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏପରି ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ପୋଲିସ ଲାଇନ୍ସ ମୁଖ୍ୟାଳୟ ପର୍ଯ୍ୟନ୍ତ ଶୁଣାଯାଇଥିଲା। ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ବିସ୍ଫୋରଣ ଅନେକ ଗାଡ଼ିକୁ କ୍ଷତିଗ୍ରସ୍ତ କରିଥିଲା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଉଦ୍ଧାର ଏବଂ ରିଲିଫ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ପିମ୍ସ) ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ପ୍ରାଥମିକ ତଦନ୍ତ ପାଇଁ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଫୋରେନସିକ ବିଶେଷଜ୍ଞଙ୍କୁ ମଧ୍ୟ ଡକାଯାଇଛି।
