EntertainmentFeaturedLatestNews

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ଦେହାନ୍ତ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଆଉ ନାହାନ୍ତି। ଭୁବନେଶ୍ୱର ଏମ୍ସରେ ଦୀର୍ଘଦିନ ଧରି ଚିକିତ୍ସାଧୀନ ହୋଇଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମାତ୍ର ୩୪ ବର୍ଷ ବୟସରେ ତାଙ୍କର ଏହି ଅକାଳ ପରଲୋକ ସମସ୍ତଙ୍କୁ ମର୍ମାହତ କରିଛି।

ହ୍ୟୁମାନ ସାଗର ଲିଭର୍ ଓ କିଡନୀ ସମସ୍ୟାସହ ଅନେକ ଗୁରୁତର ରୋଗରେ ପୀଡିତ ଥିଲେ। ତାଙ୍କୁ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସତ୍ତେ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ହେଲା ନାହିଁ ଏବଂ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ପ୍ରାର୍ଥନା କରିଥିଲେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବା ପାଇଁ ଯୋଜନା କରାଯାଇଥିଲା ଏବଂ ଏଥିପାଇଁ ତାଙ୍କ ପରିବାର ରାଜ୍ୟ ସରକାରଙ୍କଠାରେ ସହାୟତା ମାଗିଥିଲେ।

ହ୍ୟୁମାନଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”

୨୦୧୪ରେ ‘ସମଥିଙ୍ଗ ସମଥିଙ୍ଗ-୨’ ଚଳଚ୍ଚିତ୍ରରେ ‘ପ୍ରେମ ହେଇଯା ରେ’ ଗୀତରେ ଆପଣା କଣ୍ଠଦାନ କରି ଓଡ଼ିଆ ସଙ୍ଗୀତ ଜଗତରେ ଅଭିନବ ଅଧ୍ୟାୟ ଆରମ୍ଭ କରିଥିଲେ ହ୍ୟୁମାନ ସାଗର। ତାଙ୍କର କଣ୍ଠସ୍ୱର ଓଡ଼ିଆ ଘରେ ଘରେ ପରିଚିତ ଥିଲା ଏବଂ ପ୍ରେମ, ବିରହ, ଡ୍ୟାନ୍ସ, ଭଜନ ଭଳି ବିଭିନ୍ନ ଧାରାର ଗୀତରେ ସେ ସିଦ୍ଧହସ୍ତ ଥିଲେ।

‘କେମିତି ଭୁଲିବି ସେ ଅଭୁଲା ଦିନ’, ‘କୁଆଡେ ଗଲୁ ପାଗେଳୀ’, ‘ତୁ ମେଘ ହେଇଯା’, ‘ଇସ୍କ ତୁ ହି ତୁ’ ଆଦି ଅନେକ ହିଟ୍ ଗୀତ ଆଜି ବି ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇଛି। ଓଡ଼ିଆ ସଙ୍ଗୀତ ଜଗତରେ ହ୍ୟୁମାନ ସାଗରଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ।