ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୯ ପରାମର୍ଶ, ଦଲାଲମୁକ୍ତ ଅଫିସ ର ପରାମର୍ଶ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧକ୍ଷଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ଜିଲ୍ଲାପାଳମାନଙ୍କୁ ୯ଟି ପରାମର୍ଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ସରକାରୀ ଦପ୍ତରରେ ଓଡ଼ିଆ ଭାଷାର କାର୍ଯ୍ୟକାରିତାକୁ ନେଇ ଉଦ୍ବେଗ ପ୍ରକାଶ କରି ବିଭିନ୍ନ ବିଭାଗର ଚିଠିପତ୍ର ଓ ବିଜ୍ଞପ୍ତି ଓଡ଼ିଆରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଏହି ଅବସରରେ ତାଙ୍କୁ ମିଶନ୍ ପାୱାରକୁ ଗୁରୁତ୍ୱ ଦେଉଥିବା ଦେଖାଯାଇଛି।
ଏକ ଖବର ଦେଖି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ସୁବର୍ଣ୍ଣପୁର ଗାଁର ଏକ ଦାରୁଣ ପରିସ୍ଥିତି ଉପରେ ଆଲୋକପାତ କରିଛନ୍ତି। ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ସେହି ଗାଁରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ପିଲାମାନେ ଲଣ୍ଠନ ଓ ମହମବତୀରେ ପାଠ ପଢୁଥିବା ଜାଣି ସେ ଉଦ୍ବିଗ୍ନ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ସରକାରୀ କାର୍ଯ୍ୟାଳୟ ଦଲାଲମୁକ୍ତ କରିବାକୁ ଆହ୍ୱାନ ଜଣାଇ କହିଛନ୍ତି ଯେ ମିଡିଲ୍ ମ୍ୟାନ୍ ସିଷ୍ଟମ ହଟିବା ଆବଶ୍ୟକ। ଖବରକାଗଜରେ ପ୍ରକାଶ ପାଉଥିବା ଭିଜିଲାନ୍ସ ରେଡ୍, ମୃତ ଲୋକଙ୍କ ନାମରେ ଜମି ପଞ୍ଜିକରଣ ଆଦି ଘଟଣା ପ୍ରତି ତାଙ୍କର ଉଦ୍ବେଗ ରହିଛି। ଭିଜିଲାନ୍ସ ଧରିବା ପୂର୍ବରୁ ଅଧିକାରୀମାନେ ନିଜେ ଦୁର୍ନୀତିକୁ ଧରିବା ଉଚିତ ବୋଲି ସେ ମତ ଦେଇଛନ୍ତି।
ରାଜସ୍ୱ ବିଭାଗ ୨୪,୦୦୦ ଶିକ୍ଷାନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଥିବା ବେଳେ ୨୫,୦୦୦ ଭୂମିହୀନଙ୍କୁ ଜମି ଦେଇଛି। ତଥାପି ମନ୍ତ୍ରୀ ଏଥିରେ ସନ୍ତୁଷ୍ଟ ନଥିବା ବେଳେ ଅଧିକ ଜନବନ୍ଧୁତା ପୂର୍ଣ୍ଣ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ସେ ଅଧିକାରୀମାନଙ୍କୁ ଆଜିର କାମ କାଲି ପର୍ଯ୍ୟନ୍ତ ନ ରଖିବା ଏବଂ ଲୋକଙ୍କ ସମସ୍ୟା ଜାଣିବା ପାଇଁ ଫିଲ୍ଡ ଭିଜିଟ୍ କରିବାକୁ ପରାମର୍ଶ ଦେଇଛନ୍ତି।
ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ଆଲୋଚନା ହେବ। ରାଜସ୍ୱ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ୬ ମାସ ଭିତରେ ରାଜସ୍ୱ ବିଭାଗରେ ପଡ଼ିଥିବା ସବୁ କେସର ସମାଧାନ ହେବ ଏବଂ ୫ ବର୍ଷରେ ରାଜ୍ୟକୁ ଭୂମିହୀନମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।
