ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଆଧୁନିକୀକରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ବର (ସଂକେତ ଟିଭି): କେନ୍ଦ୍ର ଇସ୍ପାତ ଏବଂ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା ହୋଇଛି । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।
ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଅତ୍ୟନ୍ତ ଆବଶ୍ୟକ । ଏହା ଦ୍ଵାରା ରାଜ୍ୟର ଆର୍ଥିକ ବିକାଶ ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ କରାଯାଇ ସହମତି ଭିତ୍ତିରେ ଜମି ଅଧିଗ୍ରହଣ କରାଯିବ ।”
ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନରୁ ବୃଦ୍ଧି କରି ୯.୫ ମିଲିୟନ ଟନକୁ ନେବାର ପରିକଳ୍ପନା ରହିଛି । ଆଧୁନିକୀକରଣ କାର୍ଯ୍ୟ ସୁଚାରୁ ଭାବରେ ଚାଲିଛି, ମାତ୍ର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ଉପୁଜିଛି । ଏହି ସମସ୍ୟାର ସମାଧାନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀର ଜଣେ ଉଚ୍ଚ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବା ସ୍ଥିର ହୋଇଛି । ଏହି କମିଟି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବ ।
କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ.ଡି. କୁମାରସ୍ଵାମୀ କହିଛନ୍ତି, “ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନେତୃତ୍ଵରେ ଏହି ସମସ୍ୟାର ସମାଧାନ ହେବ । ଷ୍ଟିଲ ଉତ୍ପାଦନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଉଛନ୍ତି ଏବଂ ଏହି ଦିଗରେ ଆମେ କାର୍ଯ୍ୟ କରୁଛୁ ।” ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ।
ବୈଠକରେ ରାଉରକେଲାରେ ଏୟାରପୋର୍ଟ ସ୍ଥାପନ ପାଇଁ ଜମି ଯୋଗାଣ ସହିତ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ କୁମାର ମିଶ୍ର, କେନ୍ଦ୍ର ଇସ୍ପାତ ସଚିବ ସନ୍ଦୀପ ପୋଣ୍ଡରିକ, SAILର ଚେୟାରମ୍ୟାନ ଅମରେନ୍ଦୁ ପ୍ରକାଶ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ SAILର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
