ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ
ରାଉରକେଲା (ସଂକେତ ଟିଭି): ରାଉରକେଲାରୁ ହାୱଡ଼ା ଯାଉଥିବା ଟ୍ରେନ୍ ସଂଖ୍ୟା ୨୦୮୭୨ ବନ୍ଦେ ଭାରତ ଏକ୍ସପ୍ରେସ୍ ରବିବାର ପଥରମାଡ଼ର ଶିକାର ହୋଇଛି। ଟ୍ରେନ୍ ର କୋଚ୍ ସଂଖ୍ୟା ସି-୧୩ରେ ଥିବା ସିଟ୍ ସଂଖ୍ୟା ୨୩ ନିକଟସ୍ଥ ଝରକା କାଚକୁ କୌଣସି ଅଜ୍ଞାତ ବ୍ୟକ୍ତି ପଥର ମାଡ଼ କରିଥିବା ସୂଚନା ମିଳିଛି, ଫଳରେ ଝରକା କାଚଟି ଭାଙ୍ଗିଯାଇଥିଲା। ଟ୍ରେନ୍ଟି ରାଉରକେଲା ଷ୍ଟେସନରୁ ହାୱଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଏହି ଘଟଣା ଘଟିଛି।
ଏହି ଝରକା ପାଖରେ ବସିଥିବା ରେଳଯାତ୍ରୀ ଜଣଙ୍କ ଏ ସଂପର୍କରେ ଟ୍ରେନ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହ ଟ୍ରେନ୍ଟି ଟାଟାନଗର ଷ୍ଟେସନ ପହଞ୍ଚିବା ପରେ ଆରପିଏଫ ଏଏସ୍ଆଇ ଆର୍. ରାଇ ରେଳବାଇ ପ୍ରଶାସନକୁ ଘଟଣା ବିଷୟରେ ନିବେଦନ କରିଥିଲେ। ତଥାପି, କିଏ ପଥର ଫିଙ୍ଗିଛି ତାହାର ପରିଚୟ ଏପର୍ଯ୍ୟନ୍ତ ଅଜ୍ଞାତ ଅଛି। ରେଳ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି।
ଚକ୍ରଧରପୁର ରେଳ ମଣ୍ଡଳରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ବାରମ୍ବାର ପଥରମାଡ଼ ରେଳବାଇର ଚିନ୍ତା ବଢ଼ାଇଛି। ଗତ ମାର୍ଚ୍ଚ ୨୬ ତାରିଖରେ ପ୍ରାୟ ସାଢ଼େ ୧୨ଟା ବେଳେ ପୁରୀରୁ ରାଉରକେଲା ଆସୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଉପରେ ପଥରମାଡ଼ ହୋଇଥିଲା। ଟ୍ରେନ୍ଟି ରାଉରକେଲା ପହଞ୍ଚିବାକୁ ଅଳ୍ପ ବାଟ ବାକି ଥିବା ବେଳେ କଲୁଙ୍ଗା ନିକଟରେ ଘଟିଥିବା ଏହି ଘଟଣାରେ ବଗିର କାଚ ଭାଙ୍ଗିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ୨୦୮୩୬ ନମ୍ବର ବନ୍ଦେ ଭାରତ ପୁରୀରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ କାଂସବାହାଲ-କଲୁଙ୍ଗା ସେକ୍ସନ୍ର ୪୩୦/୨୦ କିଲୋମିଟର ଖୁଣ୍ଟ ଅତିକ୍ରମ କରୁଥିବା ବେଳେ କିଛି ଦୁର୍ବୃତ୍ତ ଟ୍ରେନ୍କୁ ଲକ୍ଷ୍ୟ କରି ପଥର ଫିଙ୍ଗିଥିଲେ। ଏଥିରେ କୋଚ୍ ନମ୍ବର ସି-୫ର ୫୩ ଓ ୫୪ ନମ୍ବର ସିଟ୍ ପାଖରେ ଥିବା ଝରକା କାଚ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି।
ଟ୍ରେନ୍ଟି ରାଉରକେଲା ପହଞ୍ଚିବା ପରେ ଯାଞ୍ଚ କରାଯାଇ ଭାଙ୍ଗିଥିବା କାଚ ଉପରେ କାର୍ଡବୋର୍ଡ ଓ ପଲିଥିନ୍ ଲଗାଇ ଅସ୍ଥାୟୀ ମରାମତି କରାଯାଇଥିଲା ଏବଂ ଟ୍ରେନ୍ଟି ନିର୍ଦ୍ଧାରିତ ସମୟରେ ପୁଣି ପୁରୀ ଅଭିମୁଖେ ଫେରିଥିଲା। ତେବେ ରାଉରକେଲା ଷ୍ଟେସନ୍ କର୍ତ୍ତୃପକ୍ଷ ଓ ଜିଆର୍ପି ଏହି ଘଟଣା ସଂପର୍କରେ ଅବଗତ ନଥିବା କହିଛନ୍ତି।
ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ବାରମ୍ବାର ଆକ୍ରମଣକୁ ନେଇ ଯାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯାତ୍ରୀମାନେ କହିଛନ୍ତି ଯେ ଏହି ଟ୍ରେନ୍ ଉପରେ ଲଗାତାର ଆକ୍ରମଣ ଯୋଗୁ ତାଙ୍କୁ ଭୟର ବାତାବରଣ ମଧ୍ୟରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଚକ୍ରଧରପୁର ରେଳ ମଣ୍ଡଳରେ ଏହି ଟ୍ରେନ୍ ଉପରେ ଆକ୍ରମଣ ହେବା ପ୍ରଥମ ଘଟଣା ନୁହେଁ; କିଛି ଦିନ ପୂର୍ବେ ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ ଟ୍ରେନ୍ ଉପରେ ମଧ୍ୟ ପଥରମାଡ଼ ହୋଇଥିଲା। ଭବିଷ୍ୟତରେ ଏଭଳି ଘଟଣା ନ ଘଟିବା ପାଇଁ ରେଳ ପ୍ରଶାସନ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ଅସାମାଜିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।
