FeaturedLatestNews

ସମସ୍ତ ଜିଲ୍ଲାରେ ନିର୍ମାଣ ହେବ ନୂତନ କଲେକ୍ଟୋରେଟ୍ କୋଠା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକୁ ନବୀନ ରୂପ ଦିଆଯିବ । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ନିର୍ମାଣ କରାଯିବ, ଯାହାକୁ ଜିଲ୍ଲାର ନବ କଳେବର ବୋଲି କୁହାଯାଇଛି । ଏହି ନୂତନ କଲେକ୍ଟରେଟ୍ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଯୋଡ଼ାଯିବ, ଯାହା ଦ୍ୱାରା ସର୍ବସେବା ଏକ ଛାତ ତଳେ ଉପଲବ୍ଧ ହେବ ।

ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା ଏବଂ କାର୍ଯ୍ୟଭାର ଆଦି ଦୃଷ୍ଟିରୁ ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ଏହି ୩ ଟି ବର୍ଗରେ ବିଭକ୍ତ କରାଯାଇଛି । ବୃହତ ବର୍ଗରେ ଥିବା ଜିଲ୍ଲାଗୁଡ଼ିକରେ ୧ ଲକ୍ଷ ୭୦ ହଜାର ବର୍ଗଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମିତ ହେବ । ମଧ୍ୟମ ବର୍ଗର ଜିଲ୍ଲାଗୁଡ଼ିକରେ ୧ ଲକ୍ଷ ୪୦ ହଜାର ବର୍ଗଫୁଟ୍ ଏବଂ କ୍ଷୁଦ୍ର ବର୍ଗର ଜିଲ୍ଲାଗୁଡ଼ିକରେ ୧ ଲକ୍ଷ ବର୍ଗଫୁଟ୍ ଜମିରେ କାର୍ଯ୍ୟାଳୟ ଗଠିତ ହେବ ।

ବୃହତ ବର୍ଗରେ ସମ୍ବଲପୁର, ପୁରୀ, କେଉଁଝର, କଟକ ଓ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଭୁକ୍ତ । ମଧ୍ୟମ ବର୍ଗରେ କନ୍ଧମାଳ, ରାୟାଗଡା, ବାଲେଶ୍ଵର, ଯାଜପୁର, ବଲାଙ୍ଗୀର, ଖୋର୍ଧା, କାଳାହାଣ୍ଡି, ଭଦ୍ରକ, ବରଗଡ, କେନ୍ଦ୍ରାପଡା, କୋରାପୁଟ, ଅନୁଗୁଳ, ନବରଙ୍ଗପୁର, ଢେଙ୍କାନାଳ ଓ ଜଗତ୍ସିଂହପୁର ଜିଲ୍ଲା ରହିଛନ୍ତି । କ୍ଷୁଦ୍ର ବର୍ଗରେ ନୟାଗଡ଼, ମାଲକାନଗିରି, ନୁଆପଡା, ସୁବର୍ଣ୍ଣପୁର, ଝାରସୁଗୁଡା, ଗଜପତି, ବୌଦ୍ଧ ଓ ଦେଓଗଡ଼ ଜିଲ୍ଲା ଅଛନ୍ତି ।

ଏହି ଯୋଜନା ସହିତ, ରାଜଧାନୀ ଭୁବନେଶ୍ୱରରେ ଏକ ୧୦ ମହଲା ବିଶିଷ୍ଟ ନୂତନ ସର୍କିଟ ହାଉସ୍ ନିର୍ମାଣ ହେବ, ଯେଉଁଥିରେ ଜିମ୍, ଲାଇବ୍ରେରୀ ସହିତ ୱାନ BHK ଓ ଟୁ BHK ଆବାସ ରହିବ । ଏହା ବ୍ୟତୀତ ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ଏବଂ କଟକରେ ନୂତନ ରାଜସ୍ୱ ବୋର୍ଡ ଏବଂ ଆରଡିସି କୋଠା ମଧ୍ୟ ଗଠିତ ହେବ ।