ଅବୈଧ କାର୍ଯ୍ୟକଳାପ ରୋକିବା ପାଇଁ ପୋଲିସ-ପ୍ରଶାସନିକ ସମନ୍ୱୟ ସଭା
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାରେ ଅବୈଧ ମଦ, ଅବୈଧ ପ୍ରବାସୀ ପରିବହନ ଓ ଲଘୁ ଖଣିଜ ପଦାର୍ଥର ନିୟମବିରୋଧୀ ପରିବହନ ରୋକିବା ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ସଭା ଅନୁଷ୍ଠିତ ହୋଇଛି। କଲେକ୍ଟରେଟ୍ ଅଡିଟୋରିୟମରେ ଅନୁଷ୍ଠିତ ଏହି ସଭାକୁ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିୱାକର ସହ-ଅଧ୍ୟକ୍ଷତା କରିଥିଲେ।
ସଭାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ହେମନ୍ତ କୁମାର ସିଂହ, ବାଲେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ନୀଳଗିରି ଉପ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବଜ୍ୟୋତି ଦାଶ ଏବଂ ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଡ ଶ୍ରୀ ମନୋଜ କୁମାର ସେଠୀ ଉପସ୍ଥିତ ଥିଲେ। ସଭାରେ ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାଲେଶ୍ୱର ମ୍ୟୁନିସିପାଲଟି ଓ ଏନ୍ଏସି ର ଏକ୍ସିକ୍ୟୁଟିଭ୍ ଅଫିସର, ଏସଡିପିଓ, ଡିଏସପି, ଅସିଷ୍ଟାଣ୍ଟ କଲେକ୍ଟର, ଡେପୁଟି କଲେକ୍ଟର ଏବଂ ବିଭିନ୍ନ ଥାନାର ଆଇଆଇସି ମାନେ ଅଂଶଗ୍ରହଣ କରିଥିଲେ।
ସଭାରେ ଅବୈଧ ମଦ ତିଆରି, ବିକ୍ରି ଓ ପରିବହନ ରୋକିବା, ମଦ ଚାଲାଣ ବିରୋଧରେ କଡ଼ା ନିୟନ୍ତ୍ରଣ, ଅବୈଧ ଅଭିବାସୀଙ୍କ ସନ୍ଧାନ ଏବଂ ଲଘୁ ଖଣିଜ ପଦାର୍ଥର ଅବୈଧ ପରିବହନ ନିୟନ୍ତ୍ରଣ ସମ୍ବନ୍ଧିତ ମୁଖ୍ୟ ବିଷୟଗୁଡିକ ଉପରେ ଗଭୀର ଆଲୋଚନା ହୋଇଥିଲା।
ଜିଲ୍ଲାପାଳ ଶ୍ରୀ ବିକାଶ କହିଛନ୍ତି ଯେ ଜିଲ୍ଲାର ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଏବଂ ଅବୈଧ କାର୍ଯ୍ୟକଳାପ ବିରୁଦ୍ଧରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟକରିବା ପାଇଁ ସମସ୍ତ ବିଭାଗର ମଧ୍ୟରେ ସକ୍ରିୟ ସମନ୍ୱୟ ଅତ୍ୟନ୍ତ ଜରୁରୀ। ସମୟୋପଯୋଗୀ ତଥ୍ୟ ବିନିମୟ, ଯୁକ୍ତାତ୍ମକ ଅଭିଯାନ ଏବଂ ଅଞ୍ଚଳସ୍ତରୀୟ ନିରୀକ୍ଷଣ ଏହି ପ୍ରୟାସକୁ ଅଧିକ ଫଳପ୍ରଦ କରିବ।
