ଏସଆଇଆର କାର୍ଯ୍ୟରେ ବିଏଲଓଙ୍କ ଚାପ କମ କରିବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ
ନୂଆଦିଲ୍ଲୀ (ସଂକେତ ଟିଭି): ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର) ଜାରି ରହିଛି । ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର ଚାଲିଥିବା ବେଳେ ଏଥି ଲାଗି ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟ ଚାପ ବୃଦ୍ଧି ପାଇଛି । ବିଶେଷ କରି ବ୍ଲକସ୍ତରୀୟ ଅଧିକାରୀ (ବିଏଲଓ) ଆତ୍ମହତ୍ୟା କରୁଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି ।
ଏହି ପୃଷ୍ଠଭୂମିରେ ସୁପ୍ରିମ୍କୋର୍ଟ ଗୁରୁବାର ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି । କାର୍ଯ୍ୟ ଚାପ କମ୍ କରିବା ଲାଗି ଅତିରିକ୍ତ କର୍ମଚାରୀ ନିଯୁକ୍ତ କରିବାକୁ କୋର୍ଟ କହିଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀମାନେ ହିଁ ଏସଆଇଆର ଲାଗି କାମ କରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।
ପ୍ରଧାନ ବିଚାରପତି ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସରକାରୀ କର୍ମଚାରୀ ଏସଆଇଆର ସହିତ ଅନ୍ୟ ସରକାରୀ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ନିର୍ବାଚନ ଆୟୋଗଙ୍କୁ ଆବଶ୍ୟକୀୟ କର୍ମଚାରୀ ଯୋଗାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ବୋଲି ମଧ୍ୟ କୋର୍ଟ ଉଲ୍ଲେଖ କରିଛି ।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଯଦି ଏସଆଇଆର ଲାଗି କାମ କରୁଥିବା ବ୍ଲକସ୍ତରୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟ ଚାପ ରହିଛି, ତେବେ ତାଙ୍କୁ ସହଯୋଗ କରିବା ଲାଗି ଅତିରିକ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯିବା ଦରକାର । ସାଉଥ୍ ଆକ୍ଟର ବିଜୟଙ୍କ ଦଳ ଟିଭିକେ ଏବଂ ଅନ୍ୟମାନଙ୍କ ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ମତାମତ ଦେଇଛି ।
ସଠିକ୍ ସମୟରେ କାମ ନସରିଲେ ସଂପୃକ୍ତ ବିଏଲଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ବୋଲି ଦାବି କରି ଟିଭିକେ ପକ୍ଷରୁ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା, ଯାହାକୁ ଆଂଶିକ ଭାବେ ବିଚାର କରାଯାଇଛି ।
ବିଏଲଓଙ୍କ ଉପରେ କାମର ଚାପ କମ କରିବା ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ:
୧. ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯାଉ, ଫଳରେ ବିଏଲଓଙ୍କ କାର୍ଯ୍ୟ ଚାପ ହ୍ରାସ ହୋଇପାରିବ ।
୨. କାର୍ଯ୍ୟରୁ ଅବସର ଲାଗି ଆବେଦନ ଉପରେ ବ୍ୟକ୍ତିଗତ ଭାବରେ ବିଚାର କରାଯାଉ । ବିଶେଷ କରି ସ୍ୱାସ୍ଥ୍ୟ କିମ୍ବା ବ୍ୟକ୍ତିଗତ କାରଣ କ’ଣ ତାହା ଜାଣିବାକୁ ଚେଷ୍ଟା କରାଯିବା ଉଚିତ । ଏହା ବ୍ୟତୀତ ସେହି ସ୍ଥାନରେ ତୁରନ୍ତ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତ କରାଯାଉ ।
୩. ଯଦି କୌଣସି କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିନପାରେ, ତେବେ ସେ ସିଧାସଳଖ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ।
