FeaturedLatestNewsPolitics

୧୮ ମାସରେ ୧୮ଟି ପରୀକ୍ଷା ବାତିଲ୍, ନବୀନ କଲେ ବିଜେପିକୁ ଟାର୍ଗେଟ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ସରକାରୀ ନିଯୁକ୍ତି ପରୀକ୍ଷାଗୁଡ଼ିକରେ ପ୍ରଶ୍ନପତ୍ର ଲିକ୍ ଏବଂ ବାତିଲ ହେବା ଘଟଣା ଏକ ନିୟମିତ ଘଟଣା ହୋଇଗଲାଣି। ଗତକାଲି ଏଏନଏମ (ANM) ପରୀକ୍ଷା ମଧ୍ୟ ପ୍ରଶ୍ନପତ୍ର ଲିକ୍ ହେବା କାରଣରେ ବାତିଲ ହୋଇଛି। ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ୧୮ ମାସ ମଧ୍ୟରେ ଏହି ଘଟଣା ୧୮ଟି ବିଭିନ୍ନ ପରୀକ୍ଷା ବାତିଲ ହେବା ଦିଗକୁ ଆଙ୍ଗୁଳି ଟିଣାଉଛି।

ଏହି ପରିସ୍ଥିତିରେ ବିରୋଧୀ ଦଳ ନେତା ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକ ସରକାରଙ୍କୁ କଠୋର କଟାକ୍ଷ କରିଛନ୍ତି। ସୋସିଆଲ ମିଡିଆରେ ଦିଆଯାଇଥିବା ଏକ ବିଜ୍ଞପ୍ତିରେ ସେ କହିଛନ୍ତି, “ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ୍ କରୁଛି… ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି। ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି?”

ଗତ କିଛି ମାସ ମଧ୍ୟରେ ଏସଆଇ, ହାଇକୋର୍ଟ ନିଯୁକ୍ତି, ଓଏସଏସଏସସି କମ୍ବାଇନ୍, ଓଟିଆଇଟି, ଆରଆଇ ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରେ ବାତିଲ କରାଯାଇଛି। ଏସଆଇ ପରୀକ୍ଷା ବାତିଲ ଘଟଣାରେ ସିବିଆଇ ତଦନ୍ତ କରୁଥିବା ବେଳେ ଅନ୍ୟାନ୍ୟ ଘଟଣା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି।

ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆକ୍ଷେପ କରି କହିଛନ୍ତି, “ପୂର୍ବରୁ ଓଡ଼ିଶାରେ ପ୍ରଶ୍ନପତ୍ର ଲିକ୍ ଘଟଣା ବିରଳ ଥିଲା… ୨୦୨୪ ପରଠୁ ଓଡ଼ିଶାରେ ଏପରି ହେଉଛି। ବିଜେପି ସରକାର ଆସିବା ପରେ ଏପରି କାହିଁକି ହେଉଛି?” ସେ ଆଗ୍ରହ କରିଛନ୍ତି ଯେ ସମସ୍ତ ପରୀକ୍ଷା ନିୟମିତ ଏବଂ ସ୍ୱଚ୍ଛ ଭାବେ ଅନୁଷ୍ଠିତ ହେବା ସୁନିଶ୍ଚିତ କରାଯାଏ।

କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, “ସରକାର ଆଶାୟୀ ଚାକିରିଆଙ୍କ ସହ ଏପରି ଖେଳ ନ ଖେଳନ୍ତୁ। ଆଗାମୀ ଦିନରେ ଏହା ବଡ଼ ଆନ୍ଦୋଳନର ରୂପ ନେବ।”

ଜବାବରେ ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଦାବି କରିଛନ୍ତି, “ଆମ ସରକାର ସ୍ୱଚ୍ଛ ଓ ନିର୍ମଳ ପରୀକ୍ଷା ଚାହୁଁଛି। ଯେଉଁମାନେ ପରିଶ୍ରମ କରିଛନ୍ତି, ସେମାନେ ତାହାର ଫଳ ପାଆନ୍ତୁ।” ସେ ଆକ୍ଷେପ କରି କହିଛନ୍ତି ଯେ ବିଜେଡିର ଭବିଷ୍ୟତ ଅନ୍ଧକାର ହେଉଥିବାରୁ ନବୀନ ପଟ୍ଟନାୟକ ବିଚଳିତ ଅଛନ୍ତି ଏବଂ ଏହି ମନ୍ତବ୍ୟ ତାଙ୍କ ପାଇଁ ଅନ୍ୟ କେହି ଲେଖିଦେଇଥାଇପାରନ୍ତି।

ପରୀକ୍ଷା ବାରମ୍ବାର ବାତିଲ ହେବା ଯୁବସମାଜଙ୍କ ମନରେ ହତାଶା ଓ କ୍ରୋଧ ସୃଷ୍ଟି କରୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିବାଦକୁ ଉସକେଇ ଦେଇଛି। ପ୍ରଶାସନିକ ଦୁର୍ବଳତା ଦୂର କରି ପରୀକ୍ଷା ପ୍ରଣାଳୀକୁ ସୁରକ୍ଷିତ କରିବା ପ୍ରତି ବର୍ତ୍ତମାନ ସକ୍ରିୟ ଆଲୋଚନା ଚାଲିଛି।