FeaturedLatestNews

ପ୍ରସ୍ତାବିତ ବି.ସି.ପି.ପି.ଇ.ଆର୍. କ୍ୱାଡ୍ ସିଟିର ହେବ ଉନ୍ନୟନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ଓ କଟକକୁ ମିଶାଇ ଏକ ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ଭାବେ ଗଠନ କରିବାର କୌଣସି ଯୋଜନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଜଣାଇଛନ୍ତି। ସୋମବାର ବିଧାନସଭାରେ କଟକ ବାରବାଟୀ ବିଧାୟକ ସୋଫିଆ ଫିରଦୌସଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ ଏହି ସୂଚନା ପ୍ରଦାନ କରିଛନ୍ତି।

ବିଧାୟକ ପଚାରିଥିଲେ ଯେ, ସରକାର କଟକ ଓ ଭୁବନେଶ୍ୱରକୁ ଏକୀକୃତ କମିଶନରେଟ୍ ପୋଲିସ୍ ବ୍ୟବସ୍ଥା ପରି ଏକ ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ଭାବେ ବିକାଶ କରିବାପାଇଁ କିମ୍ବା ସମନ୍ୱିତ ସହରାଞ୍ଚଳ ଯୋଜନା, ସଂଯୋଗ, ଜମି ଉପଲବ୍ଧତା ଓ ସନ୍ତୁଳିତ ଆଞ୍ଚଳିକ ବିକାଶ ବିଷୟରେ କୌଣସି ଅଧ୍ୟୟନ କରିଛନ୍ତି କି ନାହିଁ।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ଗୃହ ଓ ନଗର ଉନ୍ନୟନ (ଏଚ୍ ଆଣ୍ଡ୍ ୟୁଡି) ବିଭାଗ ଅନୁଯାୟୀ, ଏଭଳି ଏକ ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ଗଠନ କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ।

ମାତ୍ର, ସମଗ୍ର ପରିସ୍ଥିତିର ଏକ ବିସ୍ତୃତ ଅଧ୍ୟୟନ ନୀତି ଆୟୋଗ କରିଛି, ଯାହା ଶୀଘ୍ର ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଧ୍ୟୟନ ରିପୋର୍ଟ ଆଧାରରେ ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ନେଇ ଏକ କ୍ୱାଡ୍ ସିଟି ବିକାଶ କାର୍ଯ୍ୟ ହାତକୁ ନିଆଯିବ। ଏହି ଚାରି ସହରକୁ ଏକତ୍ରିତ କରି ଏକ ଦୃଶ୍ୟମାନ ଅର୍ଥନୈତିକ ଅଞ୍ଚଳ ଭାବରେ ଗଠନ କରାଯିବା ପ୍ରସ୍ତାବ ବିଚାରାଧୀନ ରହିଛି, ଯାହାକୁ ପ୍ରସ୍ତାବିତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (ବି.ସି.ପି.ପି.ଇ.ଆର୍.) ନାମିତ କରାଯାଇଛି।