ଟ୍ରମ୍ପଙ୍କ ନୂଆ ଟାରିଫ୍ ଧମକ: ଭାରତୀୟ ଚାଉଳ ଆମଦାନୀ ଉପରେ ଶୁଳ୍କ ବୃଦ୍ଧିର ସଙ୍କେତ
ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଟାରିଫ୍ ବୃଦ୍ଧିର ଧମକ ଦେଉଛନ୍ତି ଏବଂ ବହୁ ଦେଶ ବିରୁଦ୍ଧରେ ଶୁଳ୍କ ବୃଦ୍ଧି ପରେ ବର୍ତ୍ତମାନ କୃଷିଜାତ ଦ୍ରବ୍ୟର ଆମଦାନୀ ଉପରେ ନୂଆ ଶୁଳ୍କ ଲଗାଇବାକୁ ଯାଉଛନ୍ତି। ଏଥିପାଇଁ ସେ ଯେଉଁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି, ତାହାରେ ଭାରତୀୟ ଚାଉଳ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
କୁହାଯାଉଛି ଯେ ଆମେରିକାର କୃଷକମାନେ ଟ୍ରମ୍ପଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଶସ୍ତା ବିଦେଶୀ ଚାଉଳ ଆମଦାନୀ ହେତୁ ସେମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ଅଭିଯୋଗ ପରେ ଟ୍ରମ୍ପ ଆମଦାନୀ ହେଉଥିବା କୃଷିଜାତ ସାମଗ୍ରୀ ଉପରେ ଟାରିଫ୍ ବୃଦ୍ଧି କରିବା ପ୍ରସଙ୍ଗ ଉଠାଇଛନ୍ତି।
ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଟାରିଫ୍ ପ୍ରଭାବରୁ ଆମେରିକୀୟ କୃଷକଙ୍କୁ ୧୨ ନିୟୁତ ଡଲାରର ଆର୍ଥିକ ସହାୟତା ପ୍ରଦାନ ବିଷୟ ନେଇ ହ୍ୱାଇଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟ୍ରମ୍ପ ଭାରତ ଓ କାନାଡା ଉପରେ ମଧ୍ୟ ନୂଆ ଟାରିଫ ଲଗାଇବାକୁ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଦେଶ ଆମେରିକୀୟ ବଜାରରେ ଶସ୍ତା ଚାଉଳ ବିକ୍ରି କରୁଥିବା ଅଭିଯୋଗ ଉପରେ ବିଚାର ହେବ।
ବୈଠକରେ ଦେଶର କୃଷକ ଏବଂ କୃଷି ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସେଠାରେ ଉପସ୍ଥିତ କୃଷକ ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଥିଲେ ଯେ ଆମେରିକୀୟ ବଜାର ବିଦେଶୀ ଚାଉଳ ପାଇଁ ପ୍ରଭାବିତ ହେଉଛି ଏବଂ ବିଦେଶୀ ଚାଉଳ ଘରୋଇ ଉତ୍ପାଦ ତୁଳନାରେ ଅଧିକ ଶସ୍ତାରେ ବିକ୍ରି ହେଉଛି। ଟ୍ରମ୍ପ ମଧ୍ୟ ଏହି ଦେଶଗୁଡ଼ିକୁ ଦୋଷାରୋପ କରି କହିଥିଲେ ଯେ ସେମାନେ ଶସ୍ତା ଦରରେ ବିକ୍ରି କରି ବଜାରକୁ ଧୋକା ଦେଉଛନ୍ତି।
ବୈଠକରେ କିଛି ଅଧିକାରୀ ଟ୍ରମ୍ପଙ୍କୁ ଭାରତ, ଥାଇଲାଣ୍ଡ, ଚୀନ ଏବଂ କାନାଡାର ଚାଉଳ ବିଷୟରେ ଜଣାଇଥିଲେ। ପରେ ଟ୍ରମ୍ପ କୃଷକଙ୍କୁ କହିଥିଲେ ଯେ କେଉଁ ଦେଶ ଉପରେ ଟାରିଫ ଲଗାଇଲେ ଭଲ ହେବ। ଏହି ପ୍ରଶ୍ନର ଉତ୍ତରରେ ଭାରତ ଏବଂ କାନାଡାର ନାମ ସର୍ବପ୍ରଥମେ ଆସିଥିଲା। ବିଶ୍ଳେଷକମାନେ ମତବ୍ୟକ୍ତ କରୁଛନ୍ତି ଯେ ଏଥିରୁ ଟ୍ରମ୍ପ ଦ୍ୱିପକ୍ଷୀୟ ସମ୍ପର୍କକୁ କ୍ଷତିଗ୍ରସ୍ତ କରି ଭାରତ ବିରୋଧରେ ଉଚ୍ଚ ଟାରିଫ ଲଗାଇପାରନ୍ତି।
