ବିଧାୟକ ମନ୍ତ୍ରୀଙ୍କ ଦରମା ବୃଦ୍ଧିର ବିଲ୍ ଉପସ୍ଥାପିତ, ବିଧାନସଭାରେ ସର୍ବସମ୍ମତିରେ ଗୃହୀତ
ଭୁବନେଶ୍ୱର (ସଂକେତ ଟିଭି): ବିଧାୟକ, ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଧାନସଭାରେ ‘ଦରମା, ଭତ୍ତା, ପେନସନ୍ (ସଂଶୋଧନ) ବିଲ୍-୨୦୨୫’ ଉପସ୍ଥାପିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଂ ଏହି ବିଲ୍ ଗୃହରେ ଉପସ୍ଥାପନା କରିବା ପରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି।
ବିଲ୍ ଗୃହୀତ ହେବା ପରେ ଏହା ଆହୁରି ଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଯାଇଛି। ଗତ କିଛି ସମୟ ଧରି ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ନେଇ ଦାବି ଉଠୁଥିବା ବେଳେ ଶୀତ ଅଧିବେଶନରେ ଏହି ଆଇନ ଆଣିବାକୁ ଦାବି ହୋଇଥିଲା।
ଉଲ୍ଲେଖ୍ୟ, ବର୍ତ୍ତମାନ ରାଜ୍ୟର ବିଧାୟକମାନେ ମାସିକ ୩୫,୦୦୦ ଟଙ୍କା ମୂଲ ବେତନ ଏବଂ ବିଭିନ୍ନ ଭତ୍ତା ରୂପେ ୬୫,୦୦୦ ଟଙ୍କା ପାଉଛନ୍ତି। ଏଥିରେ କନଭେନ୍ସ ଭତ୍ତା ୧୫,୦୦୦ ଟଙ୍କା, ଚିକିତ୍ସା ଭତ୍ତା ୫,୦୦୦ ଟଙ୍କା ଏବଂ ଟେଲିଫୋନ ଭତ୍ତା ୮,୦୦୦ ଟଙ୍କା ଅନ୍ତର୍ଭୁକ୍ତ। ବିଧାୟକଙ୍କ ଦରମା ଶେଷ ଥର ପାଇଁ ୨୦୧୭ ମସିହାରେ ବୃଦ୍ଧି ପାଇଥିଲା। ବିଧାନସଭାର ଏକ କମିଟି ଏହି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ।
