ପଙ୍କଜ ଚୌଧୁରୀ ହେଲେ ଉତ୍ତର ପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ନିର୍ବିରୋଧରେ ଉତ୍ତର ପ୍ରଦେଶ ବିଜେପିର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଲକ୍ଷ୍ନୌର ଲୋକଭବନରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ନୂଆ ନେତୃତ୍ୱର ଘୋଷଣା କରିଛନ୍ତି । ଏହି ଅବସରରେ ବିଦାୟୀ ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଚୌଧୁରୀଙ୍କଠାରୁ ପଙ୍କଜ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।
ଏହି ନିଷ୍ପତ୍ତିକୁ ରାଜନୈତିକ ବିଶ୍ଲେଷକମାନେ ବିଜେପିର ଏକ ପ୍ରମୁଖ ରଣନୀତିକ ଚାଲ ବୋଲି ମତଦେଇଛନ୍ତି । ପୂର୍ବାଞ୍ଚଳର ମହାରାଜଗଞ୍ଜର ସାତଥର ସାଂସଓ ପଙ୍କଜ ଚୌଧୁରୀ ଏକ ପ୍ରଭାବଶାଳୀ କୁର୍ମୀ (ଓବିସି) ନେତା । ଉତ୍ତର ପ୍ରଦେଶ, ବିଶେଷକରି ପୂର୍ବାଞ୍ଚଳରେ ଓବିସି ମତଦାତାଙ୍କ ଏକ ବଡ଼ ଭୋଟ୍ ବ୍ୟାଙ୍କ ରହିଛି । ତାଙ୍କୁ ଏହି ଦାୟିତ୍ୱ ଦେଇ ବିଜେପି ବିରୋଧୀ ଦଳଙ୍କର ପଛୁଆ, ଦଳିତ ଓ ସଂଖ୍ୟାଲଘୁ (ପିଏଡି) ସମୀକରଣକୁ ପ୍ରତିହତ କରିବା ସହ ଓବିସି ସମୁଦାୟ ମଧ୍ୟରେ ନିଜ ପାଇଁ ଏକ ଦୃଢ଼ ସ୍ଥିତିକ ଗଠନ କରିବାକୁ ଚାହୁଁଛି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶରେ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଉତ୍ତର ପ୍ରଦେଶ ବିଜେପିର ୧୨୦ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନ ମଧ୍ୟ ଘୋଷଣା କରିଛନ୍ତି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ, ଭୂପେନ୍ଦ୍ର ସିଂହ ଚୌଧୁରୀ, ସ୍ମୃତି ଇରାନୀ, ସୂର୍ଯ୍ୟ ପ୍ରତାପ ଶାହି, ରାମପତି ରାମ ତ୍ରିପାଠି ଏବଂ ମହେନ୍ଦ୍ର ନାଥ ପାଣ୍ଡେ ଆଦି ବରିଷ୍ଠ ନେତାମାନେ ଅନ୍ତର୍ଭୁକ୍ତ ଅଛନ୍ତି ।
ସମୁଦାୟ ଘଟଣାକ୍ରମରେ ପ୍ରଦେଶ ବିଜେପିରେ ସଂଗଠନାତ୍ମକ ସ୍ତରରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି ବୋଲି ବିଶ୍ଲେଷଣ କରାଯାଉଛି ।
