FeaturedGeneralLatestPolitics

ନୀତିନ ନବୀନ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ନିଷ୍ପତ୍ତି ନେଇଛି । ବିହାର ସରକାରଙ୍କ ମନ୍ତ୍ରୀ ନିତିନ ନବୀନ (୪୫)ଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଏହି ନିଯୁକ୍ତିର ଘୋଷଣା କରାଯାଇଥିବା ବେଳେ ଏହାକୁ ବିହାର ଏବଂ ଜାତୀୟ ରାଜନୀତିରେ ଦଳର ଏକ ବଡ଼ ରଣନୀତିକ ଚାଲ ବୋଲି କୁହାଯାଉଛି ।

ଏହି ଆଦେଶ ଅନୁଯାୟୀ, ଏହି ନିଯୁକ୍ତି ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ଼ ଦ୍ୱାରା କରାଯାଇଥିବା ଜଣାଯାଏ । ବର୍ତ୍ତମାନ ବିହାର ସରକାରଙ୍କ ମନ୍ତ୍ରୀ ନିତିନ ନବୀନ ଏବେ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଗ୍ରହଣ କରିବେ । ଦଳ ନେତୃତ୍ୱ ତାଙ୍କ ସାଂଗଠନିକ ଅଭିଜ୍ଞତା, ତୃଣମୂଳ ସ୍ତରର ଉପସ୍ଥିତି ଏବଂ ପ୍ରଶାସନିକ ଦକ୍ଷତାକୁ ମାନ୍ୟତା ଦେଇ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ।

ନିତିନ ନବୀନ ମାତ୍ର ୨୬ ବର୍ଷ ବୟସରେ ବିଧାୟକ ହୋଇଥିଲେ ଏବଂ ୪୫ ବର୍ଷ ବୟସରେ ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ପଦବୀ ପାଇଛନ୍ତି । ସେ ବର୍ତ୍ତମାନ ବିହାର ସରକାରରେ ସଡ଼କ ନିର୍ମାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପାଟନାର ବାଙ୍କିପୁର ବିଧାନସଭା ଆସନରୁ ଲଗାତାର ପାଞ୍ଚଥର ବିଜୟୀ ହୋଇଛନ୍ତି ।

ନିତିନ ନବୀନଙ୍କ ରାଜନୈତିକ ପରିଚୟ ଅତୀତରେ ବିଜେପିର ବରିଷ୍ଠ ନେତା ତଥା ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ସହ ଜଡ଼ିତ । ପିତାଙ୍କ ମୃତ୍ୟୁ ପରେ ଉପ-ନିର୍ବାଚନରେ ବିଜୟୀ ହୋଇ ସେ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଛାତ୍ର ରାଜନୀତିରୁ ଆରମ୍ଭ କରି ବିଭିନ୍ନ ଦଳୀୟ ପଦବୀ ଅତିକ୍ରମ କରି ଆସିଥିବା ନିତିନ ଜଣେ ଶୃଙ୍ଖଳିତ ସଂଗଠକ ଏବଂ ଦ୍ରୁତ ନିଷ୍ପତ୍ତି ନେଉଥିବା ନେତା ଭାବରେ ପରିଚିତ । ବିହାର ବିଜେପି ଭିତରେ ରାଜ୍ୟ ସ୍ତରରେ ସଂଗଠନକୁ ସବଳ କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ନିର୍ବାହ କରିସାରିଛନ୍ତି ।