ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ
ନୂଆଦିଲ୍ଲୀ (ସଂକେତ ଟିଭି): ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ବହିଷ୍କାର କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଆଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଏହି ବହିଷ୍କାରକୁ ଅନୁମୋଦନ କରିଛି। ଫଳସ୍ୱରୂପ, ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟତା ରଦ୍ଦ କରାଯାଇ ଚିଠି ଜରିଆରେ ସୋଚନା ଦିଆଯାଇଛି।
ଏହି କାର୍ଯ୍ୟାନୁଷ୍ଠାନର ମୂଳ କାରଣ ହେଉଛି ରାଜ୍ୟସଭା ସାଂସଦ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମୋକିମ୍ ଲେଖିଥିବା ଏକ ପାଞ୍ଚ ପୃଷ୍ଠାର ଚିଠି। ଏହି ଚିଠିରେ ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇବା ସହ ଦଳର ନେତୃତ୍ଵ ନବୀକରଣ କରାଯାଉ ବୋଲି ଦାବି କରିଥିଲେ। ଏଥି ସହିତ ଓଡ଼ିଶା କଂଗ୍ରେସକୁ ପୁନରୁଦ୍ଧାର କରିବା ଆବଶ୍ୟକ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ।
ଏହି ଚିଠି ଦଳ ଭିତରେ ଉଚ୍ଚସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେଉଁମାନେ ବିଜେପି ସଂପର୍କ ରଖନ୍ତି ସେମାନେ ଚାଲିଯିବା ଦରକାର। ସେ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍ଗେ ଦଳକୁ ଆଗକୁ ନେଉଛନ୍ତି ଏବଂ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ।
ଏଆଇସିସିର ଜୟରାମ ରମେଶ, କେ. ସି. ଭେଣୁଗୋପାଳ, ଅଜୟ ମାକେନ ଓ ଅଭିଷେକ ମନୁ ସିଂଘଭୀ ଭଳି ବରିଷ୍ଠ ନେତାମାନେ ମଧ୍ୟ ଏହି ଚିଠିକୁ ନେଇ କ୍ଷୁବ୍ଧ ବୋଲି ଜଣାଯାଏ। ବିବାଦ ପରେ, ଭକ୍ତ ଦାସ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ଏହି ସମ୍ପର୍କରେ ସୌଜନ୍ୟମୂଳକ ଅବଗତି ଦିଆଯାଇଥିଲା।
ବହିଷ୍କୃତ ହେବା ପରେ ମୋକିମ୍ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ମୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ମୁଁ ଖୁସି। ମୋର ବିଚାରଧାରା କଂଗ୍ରେସ ସହ ଅଛି। ରାହୁଲ ଭୁଲ୍ କଲେ ବି କହିବାର ଅଧିକାର ଅଛି। ମୁଁ କିଛି ଭୁଲ କରି ନାହିଁ।” ସେ ଆହୁରି କହିଛନ୍ତି ଯେ ସେ କାହାକୁ ଡରି ଚିଠି ଲେଖି ନଥିଲେ ଏବଂ ଦଳ ସୁଧାର ଆଣିବ ବୋଲି ଭାବିଥିଲେ। ମୋକିମ୍ ସ୍ପଷ୍ଟ କରିଛନ୍ତି ଯେ ସେ ୨୪ ଘଣ୍ଟା ସମାଜସେବା କରିବେ ଓ ରାଜନୀତିରେ ସକ୍ରିୟ ରହିବେ। ଭବିଷ୍ୟତରେ କେଉଁ ଦଳରେ ଯୋଗ ଦେବେ ସେ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ ଜଣାଇଛନ୍ତି।
