FeaturedLatestNewsPolitics

ଟାଟା ପାୱାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

ଭୁବନେଶ୍ୱର (ସଂକେତ ଟିଭି): ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) କାର୍ଯ୍ୟାଳୟ ଆଗରେ ବିଜୁ ଜନତା ଦଳ (ବିଜେଡି)ର ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ବିଜୁ ଯୁବ ଜନତା ଦଳ ଏବଂ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବି କରି ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।

ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଏବଂ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଏହି ଆନ୍ଦୋଳନକାରୀମାନେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଜେଡି ପକ୍ଷ ଦାବି କରିଛନ୍ତି ଯେ ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବା ଜିଜିଆ କର ସହିତ ସମାନ। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନଗୁଡିକରେ ଟାଟା ପାୱାରର ସମସ୍ତ କାର୍ଯ୍ୟାଳୟ ବିଜେଡି ଦ୍ୱାରା ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଦଳ ପକ୍ଷରୁ ଆଗକୁ ପ୍ରତ୍ୟେକ ଗାଁରେ ଏହି ବିଷୟକୁ ନେଇ ଆନ୍ଦୋଳନ କରାଯିବା ସମ୍ଭାବନା ରହିଛି।

ଟିପିସିଓଡିଏଲ୍ ପକ୍ଷରୁ ଏହି ବିବାଦରେ ନିଜର ସ୍ଥିତି ସ୍ପଷ୍ଟ କରାଯାଇଛି। ସଂସ୍ଥା ପକ୍ଷ କହିଛନ୍ତି ଯେ ଅତିରିକ୍ତ ସୁରକ୍ଷା ଜମା କୌଣସି ନୂଆ ନିୟମ ନୁହେଁ ଏବଂ ବିଦ୍ୟୁତ ଆଇନ୍ ୨୦୦୩ ଅନୁଯାୟୀ ଏହା ଏକ ନିୟମିତ ପ୍ରଣାଳୀ। ସେମାନେ ଦାବି କରିଛନ୍ତି ଯେ ବିଦ୍ୟୁତ ବିଲ, ସଂଯୋଗ ଖର୍ଚ୍ଚ, ଅନ୍ୟାନ୍ୟ ଚାର୍ଜ ଇତ୍ୟାଦି ସବୁକିଛି ନିୟାମକ ଆୟୋଗ ଦ୍ୱାରା ନିୟମିତ ହୁଏ ଏବଂ ଯେଉଁ ସୁରକ୍ଷା ଜମା ଆଦାୟ କରାଯାଉଛି, ତା’ପାଇଁ ଉପଭୋକ୍ତାଙ୍କୁ କ୍ରେଡିଟ୍ ଇଣ୍ଟରେଷ୍ଟ ମଧ୍ୟ ଦିଆଯାଉଛି। ଅତିରିକ୍ତ ସୁରକ୍ଷା ଜମା ସମ୍ବନ୍ଧରେ ସଂସ୍ଥା ଗଣମାଧ୍ୟମରେ ମଧ୍ୟ ସୂଚନା ଦେଇଛି ବୋଲି ଜଣାଯାଏ।

ସ୍ମାର୍ଟ ମିଟର ବିବାଦ ବିଷୟରେ ଟିପିସିଓଡିଏଲ୍ କହିଛି ଯେ ସ୍ମାର୍ଟ ମିଟର ସଠିକ୍ ରିଡିଙ୍ଗ ନେଉଛି ଏବଂ ଏହା ପୁରୁଣା ମିଟରଠାରୁ ଅଧିକ ବିଲ ଆସୁଛି ବୋଲି କଥିତ ତଥ୍ୟ ଏକ ଭ୍ରମ ମାତ୍ର। ସଂସ୍ଥା ପକ୍ଷରୁ ଦାବି କରାଯାଇଛି ଯେ ଉଭୟ ପୁରୁଣା ଏବଂ ସ୍ମାର୍ଟ ମିଟରରୁ ସମାନ ରିଡିଙ୍ଗ ଆସୁଛି ଏବଂ କୌଣସି ବ୍ୟକ୍ତିଗତ ସମସ୍ୟା ଥିଲେ ଉପଭୋକ୍ତା ସେମାନଙ୍କୁ ଜଣାଇପାରିବେ।

ଉଲ୍ଲେଖ୍ୟ, ଅତିରିକ୍ତ ସୁରକ୍ଷା ଜମା ଆଦାୟକୁ ବାଧ୍ୟତାମୂଳକ କରିବା ଏବଂ ନିର୍ଦ୍ଧାରିତ ସମୟରେ ଜମା ନକଲେ ବିଦ୍ୟୁତ ସଂଯୋଗ କାଟିଦେବାର ଚେତାବନୀ ଦେବା ପରେ ଏହି ବିବାଦ ତୀବ୍ର ହୋଇଥିଲା। ଏହି ବିଷୟକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଇତିପୂର୍ବରୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଆର୍ଇସି) ସମକ୍ଷରେ ଦାବିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି।