FeaturedLatestNews

ଭୁବନେଶ୍ୱର ବିମାନବନ୍ଦରରେ ବହୁ ବିମାନ ବାତିଲ, ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ବିମାନବନ୍ଦର କୁହୁଡ଼ି ଏବଂ ଖରାପ ପାଗଯୋଗୁଁ ଶନିବାର ଦିନେ ଅସ୍ତବ୍ୟସ୍ତ ହୋଇପଡିଥିଲା । ଏହି ପରିସ୍ଥିତିରେ ବିମାନବନ୍ଦରରୁ ଉଡ଼ାଣ କରିବାର ଥିବା ତିନୋଟି ବିମାନ ବାତିଲ କରାଯାଇଥିବା ବେଳେ ଆଉ ଏକ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା ।

ଏୟାର ଇଣ୍ଡିଆ ବିମାନ ବାତିଲ ହୋଇଯିବା ପରେ ବିମାନବନ୍ଦର ପରିସରରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବାତିଲ କରାଯାଇଥିବା ବିମାନଗୁଡିକ ମଧ୍ୟରୁ ଗୋଟିଏ ବିମାନରେ ୫୦ ଜଣ ଯାତ୍ରୀ ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରିବାର ଥିଲେ ଏବଂ ସେଠାରୁ କନେକ୍ଟିଂ ଫ୍ଲାଇଟରେ ସାଉଦି ଆରବ ଯିବାର ଯୋଜନା ଥିଲା । ବିମାନ ବାତିଲ ହୋଇଯିବା ଯୋଗୁଁ ଏହି ଯାତ୍ରୀମାନେ ବିମାନବନ୍ଦର ପରିସରରେ ଉତ୍ତେଜିତ ହୋଇପଡିଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଯାତ୍ରୀଙ୍କୁ ବୁଝାସୁଝା କରିବାର ଚେଷ୍ଟା କରୁଥିବା କୁହାଯାଇଛି ।

ଅନ୍ୟ ଏକ ଘଟଣାରେ, ମୁମ୍ବଇରୁ ବାରଣାସୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ କୁହୁଡ଼ି ଯୋଗୁଁ ବାରଣାସୀରେ ଅବତରଣ କରିପାରିନଥିଲା । ଫଳସ୍ୱରୂପ, ବିମାନଟିର ରୁଟ୍ ଡାଇଭର୍ଟ କରାଯାଇ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଏୟାରଲାଇନ୍ ପକ୍ଷରୁ ଏହି ବିମାନର ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବାର ସୂଚନା ଦିଆଯାଇଛି ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମତାନୁସାରେ, ଘନ କୁହୁଡ଼ି ହେତୁ ଭୁବନେଶ୍ୱରରୁ ଉଡ଼ାଣ କରିବାର ଥିବା ମୋଟ ୩ଟି ବିମାନ ବାତିଲ କରାଯାଇଛି । ଏହି ପରିସ୍ଥିତି ଯାତ୍ରୀଙ୍କ ଯାତ୍ରା ଯୋଜନାକୁ ବିଘ୍ନିତ କରିଛି ଏବଂ ବିମାନବନ୍ଦର ପରିସରରେ ଅସୁବିଧାର ସୃଷ୍ଟି କରିଛି ।