FeaturedLatestNewsPolitics

ବିଧାୟକ ଦରମା ବୃଦ୍ଧି ପୁନଃବିଚାର ପାଇଁ ଦାବି କଲା ବିଜେଡି

ଭୁବନେଶ୍ବର (ସଂକେତ ଟିଭି): ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରାଯାଉ ବୋଲି ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସରକାରଙ୍କୁ ନିବେଦନ ଜଣାଇଛି । ଡିସେମ୍ବର ୯ ତାରିଖରେ ସର୍ବସମ୍ମତିକ୍ରମେ ପାରିତ ଏହି ବିଲ୍‌କୁ ନେଇ ଜନସାଧାରଣଙ୍କ ମଧ୍ୟରେ ରାଷ ଓ ଅସନ୍ତୋଷ ଦେଖାଦେବା ପରେ ଏହି ଦାବି ଉପସ୍ଥାପନ କରାଯାଇଛି ।

ଗତ ୯ ତାରିଖରେ ବିଧାନସଭାରେ ଏହି ବିଲ୍‌ ସର୍ବସମ୍ମତିରେ ପାରିତ ହୋଇଥିଲା ଏବଂ ସେହି ସମୟରେ ବିଜେଡି ଏହାକୁ ସମର୍ଥନ ମଧ୍ୟ ଯୋଗାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବର୍ଦ୍ଧିତ ଦରମା ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଗ୍ରହଣ ନକରିବା ସହ ଏହି ଅତିରିକ୍ତ ଅର୍ଥକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ।

ଏହି ପୃଷ୍ଠଭୂମିରେ ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ନିବେଦନ ଜଣାଇଛି । ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଦାବି ଉପସ୍ଥାପନ କରିଛନ୍ତି ।

ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ସମ୍ମାନ ଦେଇ ଏବଂ ସଭାପତି ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଜେଡି ପୁନଃବିଚାର ପାଇଁ ନିବେଦନ କରୁଛି । ଅନ୍ୟ ପକ୍ଷରେ ପ୍ରତାପ ଦେବ ଆଶା ପ୍ରକାଶ କରି କହିଛନ୍ତି ଯେ ଜନମତକୁ ସମ୍ମାନ ଦେଇ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରି ଉପଯୁକ୍ତ ପଦକ୍ଷେପ ନେବେ ।

ବିଜେଡି ନେତାମାନେ ଜୋର୍ ଦେଇ କହିଛନ୍ତି ଯେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ଗ୍ରହଣ କରି ନାହାନ୍ତି ଏବଂ ସେହି ଅର୍ଥ ସାଧାରଣ ଲୋକଙ୍କ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବାକୁ ଦାବି କରିଛନ୍ତି । ଜନମତ ବିଲ୍‌ ବିରୋଧରେ ରହିବାରୁ ଏହାର ପୁନଃପରୀକ୍ଷା ଆବଶ୍ୟକ ବୋଲି ଦଳଟି ମତ ରଖିଛି ।