FeaturedLatestNews

୬୪୫ କିଲୋମିଟରର ତିନୋଟି ରିଙ୍ଗ୍ ରୋଡ୍ ନିର୍ମାଣର ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଭୁବନେଶ୍ୱର, କଟକ, ପୁରୀ ଏବଂ ପାରାଦୀପକୁ ନେଇ ଏକ ବିସ୍ତୃତ ଇକୋନୋମିକ୍ ରିଜିଅନ୍ ଗଠନର ମୂଳଦୁଆ ପକାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ସହରଗୁଡ଼ିକୁ ‘ଗ୍ରୋଥ୍ ହବ୍’ ଭାବେ ବିକଶିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯୋଜନା ଅନୁଯାୟୀ, ଏହି ଅର୍ଥନୈତିକ ଅଞ୍ଚଳରେ ମୋଟ ୬୪୫ କିଲୋମିଟର ଦୈର୍ଘ୍ୟର ତିନୋଟି ରିଙ୍ଗ୍ ରୋଡ୍ ନିର୍ମିତ ହେବ। ପ୍ରଥମଟି ହେଉଛି ପାରାଦୀପରୁ ଟାଙ୍ଗୀ, ସପ୍ତଶଯ୍ୟା, ରାମେଶ୍ୱର ଦେଇ ପୁରୀ ପର୍ଯ୍ୟନ୍ତ ୪୩୨ କିଲୋମିଟର ଦୀର୍ଘ କ୍ୟାପିଟାଲ୍ ରିଙ୍ଗ୍ ରୋଡ୍, ଯାହାକୁ କେନ୍ଦ୍ର ସରକାରଙ୍କ ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ସହିତ ସମନ୍ୱିତ କରାଯିବ। ଦ୍ୱିତୀୟଟି କଟକ ଜିଲ୍ଲାରେ ଜାତମୁଣ୍ଡିଆ-ତ୍ରିଶୁଳିଆ-ଉରାଳି ଦେଇ ବାଲିପାଟଣା, ପିପିଲି, ଜଟଣୀ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ୧୪୮ କିଲୋମିଟରର ଏକ ଆଉଟର ରିଙ୍ଗ୍ ରୋଡ୍। ତୃତୀୟ ରିଙ୍ଗ୍ ରୋଡ୍ ହେବ ଖୋର୍ଦ୍ଧା ଜିଲ୍ଲାର ତମାଣ୍ଡୋଠାରୁ ଚନ୍ଦକା, ପାହାଳ ଓ ଧଉଳି ଦେଇ ୬୫ କିଲୋମିଟର ଦୀର୍ଘ ଏକ ଇନର୍ ରିଙ୍ଗ୍ ରୋଡ୍।

ଏହି ମାର୍ଗ ନେଟ୍ୱାର୍କ ସହିତ ରେଳପଥର ମଧ୍ୟ ବିସ୍ତାର ହେବ। ପୁରୀଠାରୁ କୋଣାର୍କ ପର୍ଯ୍ୟନ୍ତ ୩୨ କିଲୋମିଟର ଏବଂ କୋଣାର୍କରୁ ନିମାପଡା ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ୭୦ କିଲୋମିଟର ନୂତନ ରେଳପଥ ନିର୍ମାଣ କରାଯିବାର ଯୋଜନା ରହିଛି। ପାରାଦୀପ ବନ୍ଦର ସହ ସଂଯୋଗ ହେତୁ ଏହି ଅଞ୍ଚଳରେ ଶିଳ୍ପ ବିକାଶରେ ବିରାଟ ସମ୍ଭାବନା ସୃଷ୍ଟି ହେବ।

ଏହି ଇକୋନୋମିକ୍ ରିଜିଅନ୍ ମଧ୍ୟରେ କୃଷି ଓ ମତ୍ସ୍ୟ ଉଦ୍ୟୋଗ, ମାନୁଫାକ୍ଚରିଙ୍ଗ୍, ପରିବହନ, ବନ୍ଦର ଭିତ୍ତିକ ଶିଳ୍ପ, କେମିକାଲ୍ସ, ଟେକ୍ସଟାଇଲ୍ସ, ଆଇଟି ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନୀତି ଆୟୋଗ ସହ ନିୟମିତ ସମନ୍ୱୟ ରଖି କାମ ତ୍ୱରାନ୍ୱିତ କରିବାକୁ ତଥା ଆବଶ୍ୟକ ସ୍ଥଳେ ନୂତନ ନୀତି ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏବଂ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।