FeaturedLatestNewsPolitics

ନବୀନ ବିନା ବିଜେଡି ଅସମ୍ଭବ: ଭୂପିନ୍ଦର ସିଂହଙ୍କ ଟିପ୍ପଣୀ ପରେ ଦେବୀ ମିଶ୍ରଙ୍କ କାଉଣ୍ଟର୍

ଭୁବନେଶ୍ୱର (ସଂକେତ ଟିଭି): ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହ ଆଜି କହିଛନ୍ତି ଯେ ୨୦୨୫ ବିଧାନ ସଭା ନିର୍ବାଚନ ବିଜେଡି ପାଇଁ ଭଲ ନଥିଲା ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ନେବା କି ନେବେ ନାହିଁ ବିଷୟରେ ଦ୍ୱନ୍ଦ୍ୱ ଥିଲା। କିନ୍ତୁ ସେ ଦ୍ୱନ୍ଦ୍ୱ ଏବେ ନାହିଁ। ତାଙ୍କ ମତରେ, ନବୀନ ବାବୁଙ୍କ ବଦଳରେ ଆଉ କାହାକୁ ଅଣାଗଲେ ଦଳ ଭାଙ୍ଗି ଯିବ। ତାଙ୍କର ଏହି ମତାମତ ଓଡ଼ିଶା ରାଜନୀତିରେ ପୁନଶ୍ଚ ହଇଚଇ ସୃଷ୍ଟି କରିଛି।

ଭୂପିନ୍ଦର ସିଂହ ଆହୁରି କହିଛନ୍ତି, “ବରିଷ୍ଠ ନେତାମାନେ ଯାହା ଭାବି ବସିଥିଲୁ, ଏବେ ଜୁନିୟର ନେତାମାନେ ମଧ୍ୟ ସେଇ ଚିନ୍ତାରେ ଏକାଠି ବସିଥିଲେ। ଦଳର ସଭାପତି ସ୍ପଷ୍ଟ କରିଛନ୍ତି, ସେ ହିଁ ଦାୟିତ୍ୱରେ ରହିବେ। ଭବିଷ୍ୟତ ହେଉଛି ନବୀନ ବାବୁଙ୍କୁ ଛାଡ଼ି ବିଜେଡି ରହିପାରିବ ନାହିଁ। ଦଳରେ ସମସ୍ତେ ଆସିପାରିବେ, କିନ୍ତୁ ଯିଏ ଆସିବ ସେ ପ୍ରଥମେ କାମ କରିବା ଉଚିତ୍। ତିନି ଜଣଙ୍କୁ ନେଇ ଦଳ ପରିଚାଳନା ହୁଏ ନାହିଁ, ଗୋଟିଏ ଟିମ୍ ହୋଇ କାମ କରିବା ଉଚିତ୍।”

ସେ ଦଳର ଅନ୍ତର୍ବିବାଦ ଆଭିମୁଖ୍ୟରେ ମଧ୍ୟ ଇଙ୍ଗିତ ଦେଇ କହିଛନ୍ତି, “ଅସନ୍ତୋଷ ବୋଲି ୪୦ ଜଣ ଝୁମୁକାରେ ଏକାଠି ହୋଇଥିଲେ। ଆମେ ବି ବସୁଛୁ। ପ୍ରଫୁଲ୍ଲ ମଲ୍ଲିକଙ୍କୁ କାହିଁକି ଦଳରୁ ବାହାର କରାଗଲା? ଯଦି ଆକ୍ସନ ନେବା କଥା ସମସ୍ତଙ୍କ ଉପରେ ନିଆଯାଇପାରିଥାନ୍ତା। ୨୦୨୪ ଲୋକ ସଭା ନିର୍ବାଚନରେ ବିଜୁ ବାବୁଙ୍କୁ ଆମେ ପୁରା ଭୁଲିଗଲୁ, ପୋଷ୍ଟରରେ ତାଙ୍କ ଫଟୋ ବି ରହିଲା ନାହିଁ। ଦଳକୁ ସଂଗଠିତ ପାଇଁ ନବୀନ ବାବୁ ବରିଷ୍ଠଙ୍କୁ ଡାକି ଆଲୋଚନା କରିବେ।”

ଭୂପିନ୍ଦର ସିଂହଙ୍କ ଏହି ମତାମତର ପ୍ରତ୍ୟୁତ୍ତର ଦେଇ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, “ଭୂପିନ୍ଦର ବାବୁ ସବୁବେଳେ ମିଡ଼ିଆରେ କହୁଛନ୍ତି, ମୁଁ ଶୁଣୁଛି। ଯଦି ଦଳ ପରିଚାଳନା ୩ରୁ ୪ ଜଣ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ଭାବେ ସଠିକ୍ ଫୋରମ୍ରେ କୁହନ୍ତୁ। ଏବେ ପିକନିକ୍ ମାସ, ସମସ୍ତେ ଭୋଜି ଭାତ କରିବେ। ଦଳ ସଙ୍ଗଠିତ ଅଛି, ସମସ୍ତଙ୍କୁ ନେଇ ଚାଲିଛି।”

ଦେବୀ ମିଶ୍ର ମନେ କରାଇ ଦେଇଛନ୍ତି ଯେ ବିଜେଡି ଦେଶର ବୃହତ୍ତମ ଆଞ୍ଚଳିକ ଦଳ ଏବଂ ଶୁକ୍ରବାର ଦଳର ପ୍ରତିଷ୍ଠା ଦିବସ କ୍ଷେତ୍ରୀୟ ସ୍ତରରେ ପାଳନ କରାଯିବ। ଶଙ୍ଖ ଭବନରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ, ଯେଉଁଥିରେ ଦଳ ସଭାପତି ଯୋଗଦେବେ।