ନୂଆବର୍ଷ ପାଳନ ପାଇଁ ଗାଇଡଲାଇନ୍ : ରାତି ୧୨.୩୦ ଯାଏ ଜିରୋ ନାଇଟ୍
ଭୁବନେଶ୍ବର (ସଂକେତ ଟିଭି): ପୋଲିସ କମିଶନର ଏସ୍.ଦେବଦତ୍ତ ସିଂଙ୍କ ନେତୃତ୍ଵରେ ଭୁବନେଶ୍ୱର ସହରର ନୂଆବର୍ଷ ପାଳନ ପାଇଁ ସୁରକ୍ଷା ଗାଇଡଲାଇନ୍ ଜାରି କରାଯାଇଛି । ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ରାତି ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁମୋଦିତ ହେବ । ସୁରକ୍ଷା ବ୍ୟବସ୍ଥାରେ ୧୮ଟି ପ୍ଲାଟୁନ୍ ଫୋର୍ସ୍ ମୁତୟନ କରାଯିବ ।
ସହରର ୧୮ଟି ସ୍ଥାନରେ ବ୍ଲକିଂ ଓ ଚେକିଂ ହେବ । ଏହାଛଡା, ସୁରକ୍ଷା ତଦାରଖ ପାଇଁ ୨୯ଟି ୱାଚ୍ ପାଟ୍ରୋଲିଂ ଟିମ୍ କାର୍ଯ୍ୟରତ ରହିବେ । ୪ଟି କ୍ୟୁଆରଟି ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ ଏବଂ ୫ଟି ପ୍ରମୁଖ ଟୁରିଷ୍ଟ୍ ଲୋକେସନରେ ପୋଲିସ୍ ପ୍ରହରା ଦେବେ ।
ପୋଲିସ୍ କମିଶନର ସ୍ପଷ୍ଟ କରିଛନ୍ତି ଯେ ମଦ୍ୟପାନ କରି ହଙ୍ଗାମା କଲେ ପୋଲିସ୍ ସାବାଡ କରିବ । ଜିରୋ ନାଇଟ୍ ପାଳନକାଳୀନ ଅଶାନ୍ତି ସୃଷ୍ଟି କରୁଥିବା ଅମାନିଆଙ୍କୁ ସିପିଙ୍କ ଚେତାବନୀ ଦିଆଯାଇଛି । ମଦ୍ୟପାନ କରି ଉତ୍ପାତ ସୃଷ୍ଟି ନ କରି ନିୟମ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।
ଚେତାବନୀ ଅନୁଯାୟୀ, ଜିରୋ ନାଇଟ୍ରେ ଅମାନିଆ ହେଲେ ଥାନାରେ ରାତି କଟାଇବାକୁ ହେବ । ଡ୍ରଙ୍କେନ୍ ଡ୍ରାଇଭିଂ କରୁଥିବା ଚାଳକଙ୍କୁ ଧରାପଡ଼ିଲେ ତାଙ୍କ ଗାଡି କୋର୍ଟକୁ ପଠାଯିବ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶେଷରେ, ସାଧାରଣ ନାଗରିକ, ହୋଟେଲ ପରିଚାଳକ ଏବଂ ପାର୍ଟି ଇଭେଣ୍ଟ୍ ଆୟୋଜକମାନଙ୍କ ପାଇଁ ପୃଥକ୍ ଗାଇଡଲାଇନ୍ ଜାରି କରାଯାଇଛି ଯାହା ଅନୁସରଣ କରିବାକୁ ପୋଲିସ୍ ଆଗ୍ରହ ପ୍ରକାଶ କରିଛନ୍ତି ।
