ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ କ୍ୟାଲେଣ୍ଡରରେ ତ୍ରୁଟି
ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ କ୍ୟାଲେଣ୍ଡରରେ ଦେଖାଯାଇଥିବା ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। କ୍ୟାଲେଣ୍ଡରରେ ବ୍ୟବହୃତ ଚିତ୍ରଟି ଏକ ପାରମ୍ପରିକ ତାଳପତ୍ର ଚିତ୍ର ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଏହା ୩୦୦-୪୦୦ ବର୍ଷ ପୁରାତନ ଏବଂ ଏଥିରେ ଦେଖାଯାଇଥିବା ବିଷୟବସ୍ତୁ ଶିଳ୍ପୀଙ୍କ ନିଜସ୍ଵ ସୃଜନଶୀଳତା। ଶିଳ୍ପୀ ପ୍ରଦତ୍ତ ଚିତ୍ରକୁ କେବଳ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଥିବା ବୋଲି ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି। ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡର ପୁନର୍ବାର ମୁଦ୍ରିତ କରାଯିବ କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ମତ ଦେଇ ନାହାନ୍ତି।
କ୍ୟାଲେଣ୍ଡର ବିବାଦ ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଘଟଣାଟି ତାଙ୍କ ଦୃଷ୍ଟିଗୋଚର ହେବା ପରେ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ କଥା ହୋଇଛନ୍ତି। ଯଦି କ୍ୟାଲେଣ୍ଡରରେ କିଛି ତ୍ରୁଟି ରହିଥାଏ, ତାହା ସଂଶୋଧନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଅନ୍ୟ ପକ୍ଷରେ, ବିଜେଡି ନେତା ଲେନିନ ମହାନ୍ତି ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପରିଚାଳନା ଦାୟିତ୍ୱ ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। କ୍ୟାଲେଣ୍ଡରରେ ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ରଙ୍କ ଚିତ୍ର ରହିଥିବା ଏକ ସ୍ପଷ୍ଟ ତ୍ରୁଟି ବୋଲି ମତ ଦେଇ ସେ କହିଛନ୍ତି, “କ୍ଷମା ମାଗିବା ପରିବର୍ତ୍ତେ ସଂସ୍ଥାପନା ଦେଉଛନ୍ତି, ସରକାର ଅହଙ୍କାରରେ ଅଛନ୍ତି।” ମୁଖ୍ୟ ପ୍ରଶାସକଙ୍କ କଥାରୁ ଜଣାପଡୁଥିବା ଅହଙ୍କାର ଉଲ୍ଲେଖ କରି ସେ ଦାବି କରିଛନ୍ତି ଯେ ମୁଖ୍ୟ ପ୍ରଶାସକ ଏହି ତ୍ରୁଟି କାହା ସହିତ ଆଲୋଚନା କରି କରିଥିଲେ ତାହାର ସତ୍ୟାପନ କରନ୍ତୁ ଏବଂ ଲୋକଙ୍କୁ ସ୍ପଷ୍ଟ ବ୍ୟଖ୍ୟା ଦେବା ଉଚିତ। ବିଜେଡି ଏହି ଘଟଣା ଉପରେ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି।
