FeaturedLatestNews

ରାଇରଙ୍ଗପୁରରେ ବସ-ବାଇକ୍ ଧକ୍କା: ୩ ଜଣଙ୍କ ପ୍ରାଣହାନି

ବାରିପଦା (ସଂକେତ ଟିଭି): ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୨୨୦ନଂ ଜାତୀୟ ରାଜପଥ ରାନିବନ୍ଧ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରାଇରଙ୍ଗପୁରରୁ କେନ୍ଦୁଝର ଅଭିମୁଖେ ଯାତ୍ରା କରୁଥିବା ‘ରୋଡ଼ ମାଷ୍ଟର’ ନାମକ ଏକ ଯାତ୍ରୀବାହୀ ବସ ସହିତ ଏକ ମୋଟରସାଇକେଲର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାରେ ବାଇକରେ ଆରୋହଣ କରିଥିବା ତିନି ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣା ପରେ ଦୁଇ ଜଣ ମୃତକଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। ତୃତୀୟ ଜଣଙ୍କୁ ବସ ତଳେ ଚାପି ହୋଇ ରହିଥିବାରୁ ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରୁ ଜଣେ ବିକାଶ ବେହେରା ହୋଇଥିବା ବେଳେ ତାଙ୍କ ଘର ବଡଡାଳିମା ବୋଲି ଜଣାପଡ଼ିଛି। ଅନ୍ୟ ଦୁଇ ଜଣ ଝାରଖଣ୍ଡ ରାଜ୍ୟର ବାସିନ୍ଦା ବୋଲି ଚିହ୍ନଟ ହୋଇଛନ୍ତି।

ଏହି ମାରାତ୍ମକ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଓ ବିଶୃଙ୍ଖଳାର ପରିବେଶ ସୃଷ୍ଟି ହୋଇଥିଲା। ଏହି ପରିସ୍ଥିତିରେ ରାଇରଙ୍ଗପୁର ଏଏସପି, ଏସଡିପିଓ, ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ସରକାରୀ ଗାଇଡ଼ଲାଇନ୍ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି କ୍ରମେ ଶାନ୍ତ ହୋଇଥିଲା।