୨୮ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ
ଭୁବନେଶ୍ବର(ସଂକେତ ଟିଭି):କେନ୍ଦ୍ର ସରକାର ଦେଶବ୍ୟାପୀ ଗ୍ରାମୀଣ ନିୟୋଗ ଗାରେଣ୍ଟି ଯୋଜନା ଏମଜିଏନଆରଇଜିଏସ ର ନାମ ବଦଳାଇ ଜି-ରାମ-ଜି ରଖିବା ନିଷ୍ପତ୍ତିକୁ ଆକ୍ରୋଶରେ ପଡ଼ିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଦଳର ନେତୃବର୍ଗ ଏହାକୁ କେବଳ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ନାମ ଉପରେ ଆକ୍ରମଣ ନୁହେଁ, ବରଂ ଦେଶର ୫୦ କୋଟି ଗରିବ, ଶ୍ରମିକ ଏବଂ ଖଟିଖିଆ ଲୋକଙ୍କ ଜୀବିକା ଉପରେ ପ୍ରହାର ବୋଲି କହିଛନ୍ତି।
ଆଇସିସି ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଯ୍ୟବଲ୍ଲଭ ଶନିବାର ଜଣାଇଛନ୍ତି ଯେ, ଏହି ବିରୋଧରେ ପିସିସି ପକ୍ଷରୁ ୮ ଜାନୁଆରୀରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ବିସ୍ତୃତ ଆନ୍ଦୋଳନ କରାଯିବ। ସେ ଦର୍ଶାଇଛନ୍ତି ଯେ ପୁରାତନ ଯୋଜନା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ବହନ କରୁଥିବା ବେଳେ, ନୂଆ ବିଭି-ଆର୍ବିବି ଯୋଜନାରେ କେନ୍ଦ୍ର ୬୦% ଏବଂ ରାଜ୍ୟ ସରକାରଙ୍କୁ ୪୦% ଖର୍ଚ୍ଚ ବହନ କରିବାକୁ ହେବ। ଜିଏସ୍ଟି ଓ ସେସ୍ ଆଦାୟ ରାଜ୍ୟକୁ ଫେରିବା ପରେ ରାଜ୍ୟ ସରକାର ଏହି ଅତିରିକ୍ତ ଖର୍ଚ୍ଚ ପୂରଣ ପାଇଁ ଅର୍ଥର ଉତ୍ସ କିପରି ଖୋଜିବେ ତାହା ଏକ ବଡ଼ ପ୍ରଶ୍ନ ବୋଲି ସେ ମତ ଦେଇଛନ୍ତି।
ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ ଏହି ନାମ ବଦଳକୁ ବିରୋଧ କରି ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଘେରାଉ ସହ ପ୍ରତ୍ୟେକ ଜିଲାରେ ପ୍ରତିବାଦ କରାଯାଇସାରିଛି। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଆନ୍ଦୋଳନର ବିସ୍ତୃତ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟସୂଚୀ ଅନୁସାରେ ୮ ଜାନୁଆରୀରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହେବ। ୧୦ ତାରିଖରେ ସମସ୍ତ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ, ୧୧ରେ ଏକଦିବସୀୟ ଉପବାସ ଓ ପ୍ରତୀକାତ୍ମକ ପ୍ରତିବାଦ ହେବ।
ଏହାପରେ ୧୨ରୁ ୨୯ ଜାନୁଆରୀ ମଧ୍ୟରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ, ବିଧାନସଭା ସ୍ତରୀୟ ବୈଠକ ଓ ପ୍ରଚାରପତ୍ର ବଣ୍ଟନ କରାଯିବ। ୩୦ ଜାନୁଆରୀ (ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି)ରେ ପ୍ରତ୍ୟେକ ୱାର୍ଡରେ ଶାନ୍ତିପୂର୍ଣ୍ଣ ଧାରଣା ହେବ। ୩୧ ଜାନୁଆରୀରୁ ୬ ଫେବୃଆରୀ ଯାଏଁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ‘ଏମଜିଏନଆରଇଜିଏସ ବଞ୍ଚାଅ’ ଧାରଣା ଓ ସ୍ମାରକପତ୍ର ଦାନ କରାଯିବ। ୭ ଫେବୃଆରୀରୁ ୧୫ ଫେବୃଆରୀ ପର୍ଯ୍ୟନ୍ତ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ହେବ। ଶେଷରେ ୧୬ରୁ ୨୫ ଫେବୃଆରୀ ମଧ୍ୟରେ ରାଜ୍ୟର ଚାରିଟି ଜୋନରେ ଜୋନ୍ସ୍ତରୀୟ ବିଶାଳ ରାଲି ଆୟୋଜିତ ହେବ ବୋଲି ଲଲ୍ଲୁ କହିଛନ୍ତି।
