FeaturedLatestNews

ନୀତି ଆୟୋଗ ସିଇଓଙ୍କ ସହ ବୈଠକ: ଅର୍ଥଞ୍ଚଳ, ଆଦିବାସୀ ବିକାଶ ଓ ଦକ୍ଷତା ଉପରେ ଗୁରୁତ୍ଵ

ଭୁବନେଶ୍ବର(ସଂକେତ ଟିଭି):ଭୁବନେଶ୍ଵରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବି.ଭି.ଆର. ସୁବ୍ରମଣ୍ୟମଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟର ବିକାଶ ଏବଂ ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଛି।

ଆଲୋଚନା ସମୟରେ, ଭୁବନେଶ୍ଵର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଏକ ଅର୍ଥଞ୍ଚଳ (ଇକୋନୋମିକ୍ ରିଜନ) ପ୍ରତିଷ୍ଠା ଏବଂ ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ଵ ଆରୋପ କରାଯାଇଛି। ରାଜ୍ୟ ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ କାମ କରିବେ।

ଏହା ସହିତ, ରାଜ୍ୟର ୨୦୩୬ ଏବଂ ୨୦୪୭ ଲକ୍ଷ୍ୟ ବିଷୟରେ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିବାପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ନୀତି ଆୟୋଗ ସିଇଓ ଏହି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।

ସୁବ୍ରମଣ୍ୟମ କହିଛନ୍ତି ଯେ ରାଜ୍ୟର ଆଦିବାସୀ ସମାଜଙ୍କ ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟ ସଫଳତାପୂର୍ବକ କାର୍ଯ୍ୟକାରୀ କରିବା ପାଇଁ ‘ସତ୍ବା’ (ଶିକ୍ଷା, କୌଶଳ ଓ ଉଦ୍ୟୋଗିକ ପ୍ରଶିକ୍ଷଣ ପ୍ରାଧିକରଣ) ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି।

ଏହି ବୈଠକରେ ରାଜ୍ୟର ଯୁବପିଢ଼ୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତିର ସୁଯୋଗ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ଏହାପୂର୍ବରୁ ନୀତି ଆୟୋଗର ଏକ ଦଳ ରାଜ୍ୟର ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଅନ୍ୟ କିଛି କଲେଜ ପରିଦର୍ଶନ କରି ନିଯୁକ୍ତି ହାର ବୃଦ୍ଧି କରିବାର ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ।

ଶେଷରେ, ଅକ୍ଷୟ ଶକ୍ତି କ୍ଷେତ୍ରରେ ହରିତ ଶକ୍ତି (ଗ୍ରୀନ ଏନର୍ଜି)ର ବିକାଶ ପାଇଁ ଏକ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସୁବ୍ରମଣ୍ୟମ କହିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ।