FeaturedGeneralLatest

ଖାଲିଦ-ଇମାମଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): ୨୦୨୦ ମସିହାରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ଘଟଣା ସହ ଜଡିତ ଗୁରୁତର ଷଡଯନ୍ତ୍ର ମାମଲାରେ ମୁଖ୍ୟ ଅଭିଯୁକ୍ତ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଓ ଶର୍ଜିଲ ଇମାମଙ୍କର ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ମତ ଦେଇଛନ୍ତି ଯେ ଦଙ୍ଗାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା। ତେବେ ଏହି ମାମଲାରେ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ କୋର୍ଟ ସମ୍ମତି ଦେଇଛନ୍ତି।

୨୦୨୦ ମସିହା ଫେବ୍ରୁଆରି ୨୩ରୁ ୨୫ ତାରିଖ ମଧ୍ୟରେ ଘଟିଥିବା ଏହି ଦଙ୍ଗା ସହ ସଂପୃକ୍ତ ବିଶାଳ ଷଡଯନ୍ତ୍ରର ମାମଲାରେ ସେମାନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଅଭିଯୋଗ କରିଥିଲା ଯେ ଉମର ଖାଲିଦ, ଶର୍ଜିଲ ଇମାମ ଓ ଅନ୍ୟ ସାତ ଜଣ ଅଭିଯୁକ୍ତ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ବିରୋଧରେ ପ୍ରତିବାଦକୁ ହିଂସାତ୍ମକ କରିବାକୁ ଷଡ୍ଯନ୍ତ୍ର କରିଥିଲେ।

ଉମର ଖାଲିଦ ପ୍ରାୟ ପାଞ୍ଚ ବର୍ଷ ଧରି ଜେଲରେ ଅଛନ୍ତି ଏବଂ ସେପ୍ଟେମ୍ବର ୨୦୨୦ରେ ଗିରଫ ହୋଇଥିଲେ। କୋର୍ଟରେ ତାଙ୍କ ପକ୍ଷରେ ଯୁକ୍ତି ଦର୍ଶାଯାଇଥିଲା ଯେ ତାଙ୍କ ବିରୋଧରେ କୌଣସି ହିଂସାତ୍ମକ କାର୍ଯ୍ୟର ପ୍ରମାଣ ନାହିଁ ଏବଂ ସେ କେବଳ ଭାଷଣ ଦେଇଥିବାରୁ ଅଟକାଯାଇଛନ୍ତି। ତଥାପି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ କରି ଜାମିନ ପ୍ରତ୍ୟାଖ୍ୟାନ କରିଛନ୍ତି।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଉମର ଖାଲିଦ ଏବଂ ଶର୍ଜିଲ ଇମାମଙ୍କ ଭୂମିକା ଅନ୍ୟ ଅଭିଯୁକ୍ତମାନଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ ଏବଂ ସେମାନଙ୍କ ବିରୋଧରେ ଷଡଯନ୍ତ୍ରର ପର୍ଯ୍ୟାପ୍ତ ପ୍ରମାଣ ରହିଛି। କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମାମଲାର ଏହି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଭୂମିକା ଅନ୍ୟମାନଙ୍କ ସହ ତୁଳନୀୟ ନୁହେଁ।