FeaturedLatestNews

ଭିବିଜି ରାମ ଜି ବିଲ ସଂପର୍କରେ ଅପପ୍ରଚାର କରୁଛନ୍ତି ବିରୋଧୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ବିଜେପି ପାର୍ଟି ଅଫିସରେ ଆୟୋଜିତ ଏକ ପ୍ରେସ୍ ମିଟରେ ମୁଖ୍ୟମନ୍ତ୍ରୀ ଭିବିଜି ରାମ ଜି ବିଲର ଉପକାରିତା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ବିରୋଧୀପକ୍ଷ କେବଳ ଅପପ୍ରଚାର କରୁଛନ୍ତି। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବର ଯୋଜନାଗୁଡ଼ିକ ଗରିବଙ୍କ ନିକଟରେ ପହଞ୍ଚୁ ନଥିବା ଏବଂ ଠକିକି ଟଙ୍କା ଉଠିବା ପ୍ରଥା ବନ୍ଦ କରିବାକୁ ନୂଆ ଆଇନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାର ଲୋକଙ୍କ ପାଖରେ ନିଶ୍ଚିତ ରୋଜଗାର ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦୯ରେ ମନରେଗା ନାମ ପୂର୍ବରୁ, ତତ୍କାଳୀନ ଉପା ସରକାର ରାଜନୈତିକ ଫାଇଦା ପାଇଁ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ିଥିଲେ, କିନ୍ତୁ ମୌଳିକ ଢାଞ୍ଚା ପରିବର୍ତ୍ତନ ହୋଇନଥିଲା। ଫଳାଫଳ ସ୍ୱରୂପ, ପ୍ରତି ପରିବାରକୁ ୧୦୦ ଦିନ କାମର ଗ୍ୟାରେଣ୍ଟି ଦିଆଯାଇଥିଲେ ମଧ୍ୟ ଆଉଟକମ ମାତ୍ର ୫୦ ପ୍ରତିଶତ ଥିଲା। କାମ ନମିଳିଲେ ଭତ୍ତା ଦେବାର ବ୍ୟବସ୍ଥା ମଧ୍ୟ ଅତି ନଗଣ୍ୟ ଥିଲା। ଦୁର୍ବଳ ତଦାରଖ ଏବଂ ଦୁର୍ନୀତି ଯୋଗୁଁ ଏହି ଯୋଜନା ଅସଫଳ ହୋଇଥିଲା, ଯାହା ଫଳରେ ଲୋକେ ଉଚିତ ସୁବିଧା ପାଇ ପାରିନଥିଲେ।

ଏହି ସମସ୍ୟାଗୁଡ଼ିକୁ ଗୁରୁତ୍ୱ ସହ ନେଇ ଭିବିଜେ ରାମ ଜି ଆଇନ ଆଣାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଏଥିରେ କୃଷକ ଏବଂ ଶ୍ରମିକଙ୍କ ଅଧିକାର ସୁରକ୍ଷିତ ରଖିବାକୁ ବ୍ୟବସ୍ଥା ରହିଛି। ପୂର୍ବର ମନରେଗା ମଜୁରୀ ପ୍ରଦାନରେ ବ୍ୟାପକ ଅନିୟମିତତା ରହିଥିବା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଯେ ଗାନ୍ଧିଜୀଙ୍କ ଗ୍ରାମ୍ୟ ସ୍ୱରୋଜଗାରର ଲକ୍ଷ୍ୟକୁ ସାକାର କରିବା ହେଉଛି ମୂଖ୍ୟ ଉଦ୍ଦେଶ୍ୟ, କେବଳ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଲୋଡ଼ା ନୁହେଁ।

ମୁଖ୍ୟମନ୍ତ୍ରୀ ଦୁର୍ନୀତିର କିଛି ଉଦାହରଣ ଦେଇ କହିଛନ୍ତି ଯେ ବିହାରରେ ୬ ହଜାର କୋଟି ଟଙ୍କା ଏବଂ ଉତ୍ତରପ୍ରଦେଶରେ ୧୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଓଡ଼ିଶାରେ ସମ୍ବଲପୁର ଜିଲ୍ଲାରେ ୨୦୧୨ରେ କିଛି ମୃତ ବ୍ୟକ୍ତି ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଲୋକଙ୍କୁ ମଧ୍ୟ କାମ ଦିଆଯାଇଥିବାର ଦାବି କରାଯାଇଛି। ନୂଆ ମିଶନରେ ଏହିସବୁ ଢାଞ୍ଚାଗତ ସମସ୍ୟା, ବାଟମାରଣା ଏବଂ ଦୁର୍ନୀତିକୁ ରୋକିବା ମୁଖ୍ୟ ଲକ୍ଷ୍ୟ ଅଟେ। ୨୦୪୭ର ଲକ୍ଷ୍ୟକୁ ମନେରଖି ଏହାର ଫ୍ରେମୱାର୍କ ପ୍ରସ୍ତୁତ କରାଯାଇଛି।

ନୂଆ ବ୍ୟବସ୍ଥାରେ ୧୦୦ ଦିନ ବଦଳରେ ୧୨୫ ଦିନର କାମ ନିଯୁକ୍ତି ପାଇବା ପାଇଁ ପ୍ରବନ୍ଧାନ ରହିବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ୯୦ ପ୍ରତିଶତ ଓ ରାଜ୍ୟ ୧୦ ପ୍ରତିଶତ, କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୦୦ ପ୍ରତିଶତ, ଏବଂ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେବେ। ଜଳ ସୁରକ୍ଷା, ଗ୍ରାମାଞ୍ଚଳ ଭିତ୍ତିଭୂମି, ଜୀବିକା ଆସେଟ ଏବଂ ଜଳବାୟୁ ସୁରକ୍ଷା କ୍ଷେତ୍ରରେ କାମ କରାଯିବ।